ବୁଧବାର ସନ୍ଧ୍ୟାରେ ହେବ ମନ୍ଦିରା ଡ୍ୟାମ୍ର ଜଳ ନିସ୍କାସନ : ବ୍ରାହ୍ମଣୀ ନଦୀର ତଳିଆ ଅଞ୍ଚଳରେ ପାଣି ବୃଦ୍ଧି ଆଶଙ୍କା
1 min read
ସମ୍ପ୍ରତି ଗତ ୩/୪ ଦିନ ଧରି ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏଥିପାଇଁ ବିଭିନ୍ନ ଛୋଟ ଓ ବଡ଼ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ରାଉରକେଲାର ବେଦବ୍ୟାସ ସଙ୍ଗମରୁ ସୃଷ୍ଟି ହୋଇଥିବା ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଥିବା ଶଙ୍ଖ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଉଛି । ଏହା ଯୋଗୁଁ ଏହି ନଦୀରେ ନିର୍ମିତ ମନ୍ଦିରା ନଦୀ ବନ୍ଧର କିଛି ଗେଟ୍ ଖୋଲି ପାଣି ଛଡ଼ା ଯିବା ନେଇ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଗତ ଶତାବ୍ଦୀର ୬୦ ଦଶକରେ ରାଉରକେଲା ଇସ୍ପାତ କାରଖାନା ସ୍ଥାପନା ସମୟରେ କାରଖାନାକୁ ନିରବଛିନ୍ନ ଜଳ ଯୋଗାଣ ନିମନ୍ତେ ନିର୍ମାଣ କରାଯାଇଥିଲା ମନ୍ଦିରା ଡ୍ୟାମ୍ । କାରଖାନା ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ବୁଧବାର ସନ୍ଧ୍ୟାରେ ଡ୍ୟାମ୍ର ଜଳା ନିସ୍କାସନ କରାଯିବ । ଏଥିପାଇଁ ତଳ ମୁଣ୍ଡରେ ବସବାସ କରୁଥିବା ବାସିନ୍ଦାମାନେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।