ଅଘୋଷିତ ବିଦ୍ୟୁତ କାଟ ଓ ବେଆଇନ ବିଦ୍ୟୁତ ଦେୟକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ
1 min read
ସାରା ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ଅଘୋଷିତ ବିଦ୍ୟୁତ କାଟ ଓ ବେଆଇନ ବିଦ୍ୟୁତ ଦେୟକୁ ନେଇ ଧାରଣା ଓ ବିକ୍ଷୋଭର ଆୟୋଜନ ହେଉଛି। ଏହି କ୍ରମରେ ମଙ୍ଗଳବାର ଦିନ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦିତ ନଗର ସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଦେବବ୍ରତ ବିହାରୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାରଦା ପ୍ରସାଦ ନାୟକ, ଦଳର ବରୀଷ୍ଠ ନେତା ରବି ରାୟ, ମହିଳା ମୋର୍ଚ୍ଚାର ପ୍ରଭାତୀ ମିଶ୍ର ଓ ଶକୁନ୍ତଳା ବଳିଆରସିଂହ, ଯୁବ ମୋର୍ଚ୍ଚାର ଜ୍ଞାନେନ୍ଦ୍ର ଦାସ, ଯୁବ ନେତା ରଶ୍ମି ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ସହିତ ଜାଲିଆତି କରି ଟାଟା ପାୱାର କିପରି ମାସିକିଆ ବିଦ୍ୟୁତ ଦେୟ ସ୍ଥାନରେ ସ୍ଥଳ ବିଶେଷରେ ୪୦ ଦିନ ବା ୫୦ ଦିନର ବିଦ୍ୟୁତ ଦେୟ ପ୍ରଦାନ ମାଧ୍ୟମରେ ଉପଭୋକ୍ତାଙ୍କୁ ଠକାଉଛି, ସେ ନେଇ ଆଲୋଚନା କରିଥିଲେ। ଯଥା ଶୀଘ୍ର ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ ବଣ୍ଟନକୁ ନେଇ ଦେଖାଦେଇଥିବା ଅନିୟମିତତା ବନ୍ଦ କରି ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ଦାବି କରାଯାଇଛି।