ରାଉରକେଲା ସହରରେ ଇଦ୍ ଉଦ୍ ଜୁହା ନମାଜ ନିମନ୍ତେ ପ୍ରସ୍ତୁତି
1 min read
ରାଉରକେଲା ସହରର ପାୱାର ହାଉଛ ରାସ୍ତା ନିକଟରେ ରହିଛି ମୁସଲମାନମାନଙ୍କର ନମାଜସ୍ଥଳି ଇଦ୍ଗା ପଡ଼ିଆ। ଗତ କିଛିଦିନ ଧରି ସହରରେ ହୋଇଥିବା ବର୍ଷା ଯୋଗୁଁ ଏହି ପଡ଼ିଆରେ ସାମୁହିକ ନମାଜ ପଢ଼ିବା ବା ପ୍ରାର୍ଥନା କରିବା ନିମନ୍ତେ ସମସ୍ୟା ହେବାର ଆଶଙ୍କା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର କିଛି ନେତୃସ୍ଥାନୀୟ ବ୍ୟକ୍ତି ଏ ସମ୍ପର୍କରେ ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଦଳର ବରିଷ୍ଠ ନେତା ତଥା ନଗର ସଭାପତି ଗଗନ ପଣ୍ଡା, ପିଙ୍କୁ ଜୈସ୍ୱାଲ ଓ ଗୁଡୁ ସୋନାର ପ୍ରମୁଖ ଇଦଗା ମଇଦାନ ସ୍ଥଳରେ ପହଞ୍ଚି ପଡ଼ିଆର ସ୍ଥିତି ଦେଖିଥିଲେ।

ଏହାପରେ ପଡ଼ିଆରେ ସାମୁହିକ ପ୍ରାର୍ଥନା ବା ନମାଜ ପାଠ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହି କ୍ରମରେ ମଙ୍ଗଳବାର ମହାନଗର ନିଗମର କର୍ମଚାରୀମାନେ ଇଦ୍ଗା ପଡ଼ିଆକୁ ସମତୁଲ କରିବା ଆରମ୍ଭ କରିଛନ୍ତି। ଏହା ସହିତ ଗୁରୁବାର ହେବାକୁ ଥିବା ସାମୁହିକ ପ୍ରାର୍ଥନା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଏହିସବୁ କାର୍ଯ୍ୟ ନିମନ୍ତେ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିମାନେ ସହଯୋଗ କରୁଛନ୍ତି।