Skip to content
ସୁନାମଧନ୍ୟା ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ, ସଂଗୀତକାର, ନିର୍ଦ୍ଦେଶିକା ସୁନ୍ଦରଗଡ଼ର ସ୍ମସିତା ସାହୁଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଲୋକସଂଗୀତ କ୍ଷେତ୍ରରେ ଗବେଷଣା ପାଇଁ ୨୦୨୧-୨୨ ବର୍ଷର ଫେଲୋସିପ୍ ପ୍ରଦାନ କରିଛି। ସୁନ୍ଦରଗଡ଼ ମାଟିର ପ୍ରଥମ କଳାକାର ଭାବେ ସସ୍ମିତାଙ୍କ ଏ କୃତିତ୍ବ କଳାକାର ମହଲରେ ବେଶ ଉତ୍ସାହ ଭରିଦେଇଛି। ସୁନ୍ଦରଗଡ଼ ଭିତିରିଆପଡ଼ାର ସୁଶ୍ରୀ ସାହୁ ରେଡିଓରୁ ନାଟକ, ଚଳଚିତ୍ର ଯାଏଁ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରି ସୁନାମ ଅର୍ଜନ କରିଛନ୍ତି। ଆକାଶବାଣୀ ଓ ଦୂରଦର୍ଶନର ଉଚ୍ଚଶ୍ରେଣୀର କଳାକାର ଭାବେ ନିଜ ସଂଗୀତ ଯାତ୍ରା ଆରମ୍ଭ କରିଥିବା ସସ୍ମିତା ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ସ୍ବର୍ଗତ ସରୋଜ ନନ୍ଦଙ୍କ ନିର୍ଦ୍ଦେଶନାରେ ‘ଆକାଶର ଆଖି’ ଚଳଚିତ୍ରରେ କଣ୍ଠଦାନ କରି ଚର୍ଚ୍ଚାକୁ ଆସିଥିଲେ।
ବିଶିଷ୍ଟ ନାଟ୍ୟକାର, ସଂଗୀତ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶିତ କଳା ଚଳଚିତ୍ର ‘ରଶ୍ମିରେଖା’ରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ରଚିତ ‘ତପସ୍ବିନୀ’ କାବ୍ୟର ‘କିଏ ଗୋ ତୁ ଜ୍ୟୋତିର୍ମୟୀ’ କବିତାକୁ ନିଜ କଣ୍ଠରେ ସଜାଇଥିଲେ। ସେହିପରି ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଓ ଚଳଚିତ୍ର ପ୍ରଯୋଜକ ପ୍ରଦୀପ କୁମାର ଭୋଳଙ୍କ ନିର୍ଦ୍ଦେଶିତ ଅନେକ ନାଟକରେ ସେ ସଂଗୀତ ନିର୍ଦ୍ଦେଶନା ସହ କଣ୍ଠଦାନ କରି ପ୍ରଶଂସିତ ହୋଇଛନ୍ତି। ତାଙ୍କୁ ୨୦୧୩-୧୪ ମସିହାରେ ସ୍ବଭାବକବିଙ୍କ ଜନ୍ମପୀଠ ବରପାଲିରେ ଗଙ୍ଗାଧର ମେହେରା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସୁନ୍ଦରଗଡ଼ ନବଜୀବନ ପରିବାରର କଳାକାର ଦେବେନ ଅମାତ, ବିଜୟ ମହାରଣା, ସୌମେନ୍ଦ୍ର ଠାକୁର, ଗୋପକୃଷ୍ଟ ନାୟକ, ଲତିକା ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ପତିଙ୍କ ସମେତ ପ୍ରଭାତ ଭୋଳ, ଭବାନୀପ୍ରସାଦ ମାଝୀ, କୁମୁଦ ପଣ୍ଡା ପ୍ରମୁଖ ସ୍ମସିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Post Views: 110
error: Content is protected !!