ଟ୍ରେଲବ୍ଲେଜର ପୁରସ୍କାର ପ୍ରଥମ ସଂସ୍କରଣରେ ସେଲ ଆର୍‌ଏସ୍‌ପିର ୧୦ ଜଣ ଅଧିକାରୀ ପୁରସ୍କୃତ  

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ଇ-୬ ସ୍ତର ପର୍ଯ୍ୟନ୍ତ ଦଶଜଣ ଅଧିକାରୀଙ୍କୁ ଜାନୁଆରୀ ମାସରେ  ଆରମ୍ଭ ହୋଇଥିବା ପ୍ରୋତ୍ସାହନ ଯୋଜନା ‘ଟ୍ରେଲବ୍ଲେଜର ପୁରସ୍କାର’ ପ୍ରଥମ ସଂସ୍କରଣରେ ପୁରସ୍କୃତ କରାଯାଇଛି। କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ରାଉରକେଲା କ୍ଲବରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବ୍ଲାଷ୍ଟ ଫର୍ଣ୍ଣେସ୍ ବିଭାଗର ଏଜିଏମ୍ ପୀତାମ୍ବର ଶତପଥୀ, କୋକ୍ ଓଭେନ ବିଭାଗର ଏଜିଏମ୍  ଭେଙ୍କଟାୟା ମିସାଲା, ହଟ ଷ୍ଟ୍ରିପ ମିଲ-୧ ବିଭାଗର ସିନିୟର ମ୍ୟାନେଜର  ଚିତ୍ରସେନ ତାର୍ଜନ, ହଟ ଷ୍ଟ୍ରିପ ମିଲ-୨ ବିଭାଗର ଡ଼ିଜିଏମ ସନ୍ୟାସୀ ଚରଣ ସାହୁ, ଏଚଆରଡ଼ି ବିଭାଗର ଏଜିଏମ କୃଷ୍ଣ କୁମାର ଜୟଶ୍ବାଳ, ବିଆଇଏମ୍ ର ଆସିଷ୍ଟାଣ୍ଟ ମ୍ୟାନେଜର ଘନଶ୍ୟାମ ପଲେ, ବିଓଏମର ଡେପୁଟି ମ୍ୟାନେଜର ହରବିନ୍ଦର ସିଂହ, ନୂତନ ପ୍ଳେଟ ମିଲର ସିନିୟର ମ୍ୟାନେଜର ନବୀନ ରାଜଭାରପୁ, ସିଣ୍ଟେରିଙ୍ଗ ପ୍ଳାଣ୍ଟ -୧ ବିଭାଗର ଏଜିଏମ ପ୍ରଭାତ କୁମାର ଦାସ ଏବଂ ଏସଏମଏସ-୨ ବିଭାଗର ମ୍ୟାନେଜର ମଲଞ୍ଚା ତ୍ରିପାଠୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ପୁରସ୍କାର ବିଜେତାମାନେ ସପତ୍ନୀକ ଉପସ୍ଥିତ ଥିଲେ।

ସୂଚନା ମୁତାବକ ଉତ୍ପାଦନ, ଉତ୍ପାଦକତା, ବୈଷୟିକ ଆର୍ଥିକ ପରିମାପକତା, ସୁରକ୍ଷା, ଗୁଣବତ୍ତା, ରକ୍ଷଣାବେକ୍ଷଣ ଅଭ୍ୟାସ, ମୂଲ୍ୟ ହ୍ରାସ / ଡିଜିଟାଲାଇଜେସନ୍ ତଥା ବ୍ୟବସ୍ଥାଗତ ଉନ୍ନତି ସାଧନରେ ଫ୍ରଣ୍ଟଲାଇନ ଅଧିକାରୀଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଶ୍ରୀ ଅତନୁ ଭୌମିକଙ୍କ ମାର୍ଗଦର୍ଶନରେ ଏହି ପ୍ରେରଣାଦାୟକ ପୁରସ୍କାରର ପ୍ରବର୍ତ୍ତନ କରାଯାଇଛି ।\

ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ଭୌମିକ ଟ୍ରେଲବ୍ଲେଜରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ଆଶା ପ୍ରକଟ କରିଥିଲେ। ଜଣେ ବ୍ୟକ୍ତିଙ୍କ  ସଫଳତାରେ ଜୀବନସାଥିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ସୃଜନଶୀଳତା କିମ୍ବା ନବସୃଜନର କୌଣସି ସୀମା ନାହିଁ ବୋଲି ଉଲ୍ଲେଖ କରି ଶ୍ରୀ ସୂର୍ଯ୍ୟବଂଶୀ ପୁରସ୍କାର ବିଜେତାମାନଙ୍କୁ ନୂତନ କୌଶଳ ଅନୁସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ। ପ୍ରୋତ୍ସାହନ ଯୋଜନା ବିଷୟରେ ଉଲ୍ଲେଖ କରି ଶ୍ରୀ ଶତପଥୀ କହିଥିଲେ ଯେ ଏହି ଅର୍ଦ୍ଧବାର୍ଷିକ ଯୋଜନା ଅଧିକାରୀମାନଙ୍କ ଉଦ୍ୟୋଗୀ ପ୍ରୟାସର ପ୍ରୋତ୍ସାହନ ପାଇଁ ଲକ୍ଷ୍ୟ ରଖିଛି । ଏହିପରି ଏକ ଅନନ୍ୟ ପୁରସ୍କାର ଯୋଜନା ଆରମ୍ଭ ପାଇଁ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇ ଶ୍ରୀ ସାହୁ ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କର ପ୍ରଦର୍ଶନକୁ ପରବର୍ତ୍ତୀ ସ୍ତରକୁ ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ। କାରଖାନାକୁ ସଫଳତାର ଉଚ୍ଚତର ସୋପାନକୁ ନେବା ପାଇଁ ନବସୃଜନ ପ୍ରୟାସର ଆବଶ୍ୟକତା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିବାବେଳେ ଡକ୍ଟର ହୋତା ପୁରସ୍କାର ବିଜେତାମାନଙ୍କୁ ଆହ୍ଵାନମୂଳକ କାର୍ଯ୍ୟ ଅମୁସନ୍ଧାନ ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ମୁତାବକ ବ୍ଳାଷ୍ଟ ଫର୍ଣ୍ଣେସ-୫ର ବିଦ୍ୟମାନ ରିଟିଲ୍ଟିଙ୍ଗ୍ ରନର୍ସର ଡକ୍ଟ ପରିବର୍ତ୍ତନ ଏବଂ ପୁନଃନିର୍ମାଣ ପାଇଁ ଶ୍ରୀ ପୀତାମ୍ବର ଶତପଥୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଫ୍ଲେମ ରୋକିବା ପାଇଁ ଚାର୍ଜିଂ ଛିଦ୍ରରେ ସ୍ଥାପନା ପାଇଁ ଏକ ରିଙ୍ଗ ପ୍ରସ୍ତୁତ କରିଥିବାରୁ ଶ୍ରୀ ଭେଙ୍କଟିଆ ମିସାଲାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଏଚଆର କଏଲ କନଭେୟର-୪ ପାଇଁ ନିଜସ୍ୱ ଟ୍ରାକ ବିମ ନିର୍ମାଣ ପାଇଁ ଶ୍ରୀ ଚିତ୍ରସେନ ତାର୍ଜନ ପୁରସ୍କାର ଲାଭ କରିଥିବା ବେଳେ ସନ୍ୟାସୀ ଚରଣ ସାହୁଙ୍କ ଦ୍ୱାରା ଏଜିସି ସିଲିଣ୍ଡର ମରାମତି ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏଚଆରଡ଼ି କେନ୍ଦ୍ରରେ ପ୍ରଥମ ଥର ପାଇଁ ଭର୍ଚୁଆଲ୍ ଗ୍ରୀଷ୍ମ ଅବକାଶ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିବାରୁ ଶ୍ରୀ କେ କେ ଜୟଶ୍ଵାଳଙ୍କୁ ପୁରସ୍କୃତ କରାଯାଇଥିବାବେଳେ ନିୟର ମିସ୍ ମାମଲାର ସୁପାରିଶ, ସଚେତନତା ସୃଷ୍ଟି ତଥା ସୁପାରିଶ ମାଧ୍ୟମରେ ଖଣିଗୁଡିକର ସୁରକ୍ଷା କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଘନଶ୍ୟାମ ପଲେଇଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁରୂପ ଭାବେ ବଲାଣି ଲୌହ ଖଣିରେ ଷ୍ଟାକିଂ କଣ୍ଟ୍ରାକ୍ଟ ପାଇଁ ବିଭାଗୀୟ ଓଜନ ବ୍ରିଜ୍ର ବ୍ୟବହାର ଚିହ୍ନଟ କରିଥିବାରୁ ହରବିନ୍ଦର ସିଂଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଏନପିଏମରେ ଲେଜର ଦୈର୍ଘ୍ୟ ମାପ ପ୍ରଣାଳୀ ସ୍ଥାପନା ପାଇଁ ଶ୍ରୀ ନବୀନ ରାଜଭାରପୁଙ୍କୁ ପୁରସ୍କୃତ କରାଯାଇଥିଲା। ସିଣ୍ଟେରିଙ୍ଗ ପ୍ଳାଣ୍ଟ-୧ରେ କୋଲ୍ଡ ସ୍କ୍ରୀନ ୫୭ ଅଞ୍ଚଳରେ ପୁରୁଣା ଢାଞ୍ଚା ଭଙ୍ଗା ଯାଇ ଏହା ସ୍ଥାନରେ ନୂତନ ଯନ୍ତ୍ରାଂଶର ସ୍ଥାପନା ଭଳି ଅଭିନବ ପ୍ରୟାସ ପାଇଁ ଶ୍ରୀ ପ୍ରଭାତ କୁମାର ଦାଶଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରେନ ଉପଲବ୍ଧତାର ଉନ୍ନତିରେ ଅବଦାନ ପାଇଁ ଶ୍ରୀ ଏମ ତ୍ରିପାଠୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କାର୍ମିକ ପିଏଲଓଡ଼ି ବିଭାଗର ଡ଼ିଜିଏମ ଏସ୍ ବଡପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।  ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସୁଶ୍ରୀ ସିମ୍ପି ପଟେଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!