ଆର୍‌ଏସପି ପକ୍ଷରୁ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଜୁନ ୨୧ ତାରିଖରେ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ ଯୋଗ ଅଧିବେଶନରେ ୧୦୦୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ଦେଖିବାକୁ ମିଳିଥିଲା । ପୂର୍ବାହ୍ନରେ ସେକ୍ଟର ୬ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଏହି ଗଣ ଯୋଗାଭ୍ଯାସ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆହୁରି ମଧ୍ୟ ଆରଏସପିର ବିଭିନ୍ନ କମ୍ୟୁନିଟି ସେଣ୍ଟରଗୁଡିକରେ ଏବଂ କାରଖାନାର ବିଭିନ୍ନ ବିଭାଗରେ ଯୋଗଶିବିର ଅନୁଷ୍ଠିତ ହୋଇଥିଲା୤ ଆରଏସପିର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୁର୍ଯ୍ୟବଂଶୀ ସେକ୍ଟର ୬ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଆୟୋଜିତ ଯୋଗ ଅଧିବେଶର ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଏହି ଯୋଗଶିବିରରେ ସିଆଇଏସଏଫ କର୍ମୀ, ଇସ୍ପାତ ସହରାଞ୍ଚଳରେ ସ୍ଥିତ ଆରଏସପିର କମ୍ୟୁନିଟି ସେଣ୍ଟରଗୁଡିକରେ ପରିଚାଳିତ ଯୋଗାଭ୍ୟାସ କେନ୍ଦ୍ରର ନିୟମିତ ଯୋଗାଭ୍ୟାସକାରୀଙ୍କ ସମେତ ବିଭିନ୍ନ ବୟସବର୍ଗର ବ୍ୟକ୍ତି ଯୋଗଦେଇଥିଲେ।

ନିଜର ଉଦଘାଟନୀ ସମ୍ବୋଧନରେ ଶ୍ରୀ ସୁର୍ଯ୍ୟବଂଶୀ କହିଥିଲେ ଯେ, “ଯୋଗ ଏକ ଜୀବନ ଶୈଳୀ ଯାହାର ଲକ୍ଷ୍ୟ ଏକ ସୁସ୍ଥ ଶରୀର ଓ ସୁସ୍ଥ ମନ ଗଠନ ଅଟେ । ମାନବଜାତିର ମଙ୍ଗଳ ପାଇଁ ଏହା ଏକ ଅତ୍ୟନ୍ତ ଜରୁରୀ ଉପାଦାନ ।” ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରି ଶ୍ରୀ ସୁର୍ଯ୍ୟବଂଶୀ କହିଥିଲେ ଯେ, “ଆମ ଭଳି ବୃତ୍ତିଗତ ଜୀବନରେ କେବଳ ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ନୁହେଁ, ବରଂ ମାନସିକ ସୁସ୍ଥତା ମଧ୍ୟ ବଜାୟ ରଖିବା ପାଇଁ ନିୟମିତ ଯୋଗାଭ୍ୟାସ କରିବା ନିତାନ୍ତ ଆବଶ୍ୟକ।”

ପାତାଞ୍ଜଳି ଯୋଗ ସମିତି ସୁନ୍ଦରଗଡର ସଭାପତି ଯୋଗଗୁରୁ ଅଙ୍କୁର ମାର୍ଥାଙ୍କ ନେତୃତ୍ୱରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ଦ୍ଵାରା ସମ୍ପନ୍ନ ଏହି ଯୋଗଶିବିରର ଶେଷରେ ଅଂଶଗ୍ରହଣକାରୀମାନେ ସମବେତ ଶପଥ ପାଠ କରିଥିଲେ । ସେକ୍ଟର ୬ ଓ ସେକ୍ଟର ୨ କମ୍ୟୁନିଟି ସେଣ୍ଟରର ଯୋଗାଭ୍ଯାସକାରୀଙ୍କ ଦ୍ଵାରା ସୂର୍ଯ୍ୟ ନମସ୍କାର ଓ ଶାରୀରିକ ବ୍ୟାୟାମର ପ୍ରଦର୍ଶନ ଅଧିବେଶନର ଅନ୍ୟ ପ୍ରମୁଖ ଅଂଶ ଥିଲା।

ପ୍ରାରମ୍ଭରେ ହସ୍ପିଟାଲ ପ୍ରଶାସନ, କ୍ରୀଡା ଓ ବିମାନବନ୍ଦର ବିଭାଗର ମହାପ୍ରବନ୍ଧକ ଆର କେ ବର୍ମା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିଏଲସି ବିଭାଗର କାର୍ଯ୍ୟନିର୍ବାହୀ ସହାୟକ, ସୁଶ୍ରୀ ସାବିତ୍ରୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସେହିଭଳି ସେକ୍ଟର ୨୨ କମ୍ୟୁନିଟି ସେଣ୍ଟରଠାରେ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦ରୁ ଉର୍ଦ୍ଧ୍ଵ ଲୋକ ଭାଗ ନେଇଥିଲେ। ଉଭୟ କାର୍ଯ୍ୟକ୍ରମକୁ ଆର କେ ବର୍ମା ଓ କ୍ରୀଡା ବିଭାଗର ସହକାରୀ ପ୍ରବନ୍ଧକ ରଘୁ ନନ୍ଦନ ପାଢୀ ପରିଚାଳନା କରିଥିଲେ। ଉଭୟ ସ୍ଥାନରେ ସନ୍ଧ୍ୟାରେ ଅନ୍ୟ ଦୁଇଟି ଯୋଗ ଶିବିର ଆୟୋଜନ ନିର୍ଦ୍ଧାରିତ ହୋଇଛି।

ଆରଏସପିର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକଙ୍କ କର୍ଜୟାଳୟ ସ୍ଥିତ ପିସ ରୁମରେ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ମିକ କାର୍ଯ୍ୟ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ, ଧିରେନ୍ଦ୍ର ମିଶ୍ର ନେତୃତ୍ବରେ ଏଥିରେ ୨୦ରୁ ଉର୍ଦ୍ଧ୍ଵ କର୍ମଚାରୀ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମକୁ ବ୍ଳାଷ୍ଟ ଫରନେସ ବିଭାଗର ମହାପ୍ରବନ୍ଧକ, ଏସ.ଚନ୍ଦା ପରିଚାଳନା କରିଥିଲେ ।

ଆରଏସପିର ସେଣ୍ଟ୍ରାଲ ଫାୟାର ଷ୍ଟେସନ ବିଭାଗରେ ଅନୁରୂପ ଯୋଗ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଥିରେ ୫୨ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦୀପିକା ମହିଳା ଜାଗ୍ରୀତି ସଂସ୍ଥାନ, ସେକ୍ଟର -୨ ରେ ଏକ ଯୋଗ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ତଥା ଶିଳ୍ପ ସହରବାସୀଙ୍କୁ ସୁସ୍ଥ ଜୀବନ ଧାରଣ ନିମନ୍ତେ ଅନୁପ୍ରେରିତ କରିବା ଲକ୍ଷ୍ୟରେ ଆରଏସପି ଦ୍ଵାରା ୧୫ଟି ଯୋଗାଭ୍ୟାସ କେନ୍ଦ୍ର ପରିଚାଳନା କରାଯାଉଛି ଯାହା ଇସ୍ପାତ ସହରର ବିଭିନ୍ନ କମ୍ୟୁନିଟି ସେଣ୍ଟରରେ ନିୟମିତ ରୂପେ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!