ହମିରପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ନେଇ ଜନଶୁଣାଣୀ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ହମିରପୁର ବାସିନ୍ଦାମାନଙ୍କ ପାଇଁ ଆର୍ଏସ୍ପି, ମହାନଗର ନିଗମ କିମ୍ବା ପଞ୍ଚାୟତରେ ସାମିଲ ହୋଇ ନଥିବା ଯୋଗୁଁ ଅହି ଅଞ୍ଚଳବାସୀ କୌଣସି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଅଞ୍ଚଳଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ବାରମ୍ବାର ଦାବି ଫଳରେ ଶେଷରେ ପ୍ରଶାସନ ତରଫରୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ହମିରପୁର ସରକାରୀ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ କାର୍ଯ୍ୟରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଉପ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶନୀ ବଳ ଓ ଆରଆଇ ଦୀପମାଳା ବୋଷ ପ୍ରମୁଖ ଯୋଗଦେଇ ଅଂଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ। ହମିରପୁର ବାସୀଙ୍କ ତରଫରୁ ଡଃ ସୁମନ ଦତ୍ତ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡଃ ପ୍ରଭାତ କୁମାର ମଲ୍ଲିକ, ଆଇନଜୀବୀ ନିରଞ୍ଜନ ଦାସ, ସୋନୁ ବଡାଇକ, ଯଶିନ୍ତା ଲାକ୍ରା,ଅନିତା ଡୁଙ୍ଗଡୁଙ୍ଗ,ହରମୋନ୍ ଲାକ୍ରା ପ୍ରମୁଖ ହମିରପୁରବାସୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ହମିରପୁର ଅଂଚଳର ଶତାଧିକ ବ୍ୟକ୍ତି ଉପସ୍ଥିତ ହୋଇ ମୌଳିକ ସୁବିଧା ରୁ ବଂଚିତ ହେଉଥିବା କହି ଏହି ଅଂଚଳକୁ ପଞ୍ଚାୟତରେ ମିଶିବା ପାଇଁ ଦାବି କରିଥିଲେ। ଏହି ଜନଶୁଣାଣୀରେ ଅଂଚଳବାସୀ ପଞ୍ଚାୟତରେ ମିଶ୍ରଣ କରିବା ଲାଗି ଦାବି କରିବା ସହ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ କରାଯାଇ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି ।