ଛେଣ୍ଡ୍ ଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ଛେଣ୍ଡ୍ କଲୋନୀ ସ୍ଥିତ ଛେଣ୍ଡ୍ ଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକ ସମିତିର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ସମାଜ ପାଇଁ ବରିଷ୍ଠ ନାଗରିକମାନଙ୍କର ଆବଶ୍ୟକତା ଯଥେଷ୍ଟ ଅଧିକ ବୋଲି କହିବା ସହିତ ଖୁବ ଶୀଘ୍ର ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ୍ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ଏହା ସହିତ ଛେଣ୍ଡ୍ ଥାନା ପରିସରରେ କାର୍ଯ୍ୟରତ ବରିଷ୍ଠ ନାଗରିକ ସମିତି ଭଳି ସହରର ଅନ୍ୟ ଥାନାରେ ମଧ୍ୟ ବାଗରିକ ସମିତି ଗଠନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସମିତିର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ, କୋଷାଧ୍ୟକ୍ଷ ହୃଶିକେଶ ନାୟକଙ୍କ ସମେତ ସୁନାଫୁଲ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ନାଗରିକ ସନ୍ତୋଷ ଜେନା ଏବଂ ଯୁଗ୍ମ ସମ୍ପାଦକ ତଥା ସାମ୍ବାଦିକ ଓ ସମାଜସେବୀ ମହେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଛେଣ୍ଡ୍ ଥାନା ଅଧିକାରୀ ବିଜୟ କୁମାର ବିହାରୀ, ବରିଷ୍ଠ ନାଗରିକ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମହେନ୍ଦ୍ର ସାହୁ, ଏସ ଏନ ପଣ୍ଡା, ବଳରାମ ଦାସ, ଶ୍ରୀକାନ୍ତ ଦାସ, ସର୍ବେଶ୍ୱର ଜେନା, ଶ୍ରୀଚରଣ ମହାନ୍ତି, ଡକ୍ତର ଜି ଏନ ସାହୁ, ସାନ୍ତନୁ ଦାସ ଓ ରାଖାଲ ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ବାଗରିକ ସମିତି ପକ୍ଷରୁ ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା।