ରାଉରକେଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହିତ ଘୋଷଯାତ୍ରା ପାଳିତ
1 min read
ରାଊରକେଲା ସହର ଓ ଆଖପାଖ ଅଞ୍ଚଳରେ ଶ୍ରଦ୍ଧା ଓ ଭକ୍ତିର ସହିତ ପବିତ୍ର ଘୋଷଯାତ୍ରା ପାଳିତ ହୋଇଛି। ସହରର ପ୍ରମୁଖ ଘୋଷଯାତ୍ରା ଭାବେ ପରିଚିତ ସେକ୍ଟର-୩ ଅହିରାବନ୍ଧ ମନ୍ଦିରରେ ଏହି ଅବସରରେ ପୁରୀ ମନ୍ଦିର ରୀତିନୀତି ମୁତାବକ ଶ୍ରୀଜିଉମାନଙ୍କର ପୂଜାର୍ଚ୍ଚନା ଓ ପହଣ୍ଡି କରାଯାଇଥିଲା । ଏଥିରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ପରେ ପରେ ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା । ଏହାପରେ ଶ୍ରଦ୍ଧାଳୁମାନେ ଟାଣି ଟାଣି ଆମ୍ବାଗାନ ଛକ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥିଲେ । ଏଥିପାଇଁ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ପରିଚାଳନା କମିତି ସହିତ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଓ ପ୍ରସ୍ତୁତି ହୋଇଥିଲା । ଏଥିରେ ରାଉରକେଲା ଇସ୍ପାତ କାରଖାନାର ଅଧିକାରୀ ଓ କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ ।
ସେହିଭଳି ସହରର ହନୁମାନ ବାଟିକା, କୋଏଲ ନଗର, ଉଦିତ ନଗର, ଛେଣ୍ଡ୍ ଓ ବାସନ୍ତୀ କଲୋନୀ ଓ ବନ୍ଧମୁଣ୍ଡା ଆଦି ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ମାନଙ୍କରେ ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରୀଜିଉମାନଙ୍କର ଘୋଷଯାତ୍ରା ବା ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ ସହରବାସୀ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।
ସେକ୍ଟର-୩ ସମେତ କୋଏଲ ନଗର ଓ ଅନ୍ୟ ସ୍ଥାନମାନଙ୍କରେ ଥିବା ଜଗନ୍ନାଥ ମନ୍ଦିରମାନଙ୍କରେ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅନ୍ନ, କାନିକା , ପାଣି , ସରବତ ଆଦି ବଣ୍ଟନ କରାଯାଇଥିଲା ।