ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠକୁ ଅଧିକ ଆକର୍ଷଣୀୟ କରାଯିବ

1 min read
Spread the love

ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ବିଜେଙ୍କ କପିଳାସ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କପିଳାସଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାୟକ ସୁଧୀର କୁମାର ସାମଲ ଯୋଗ ଦେଇ, କପିଳାସ ପୀଠର ଭିଭି ଭୂମିର ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସେବାୟତମାନେ ସମସ୍ତ ପ୍ରସ୍ତାବ ଦେବାକୁ କହିଛନ୍ତି। ଏଥିପାଇଁ ମନ୍ଦିରର ସମସ୍ତ ସେବାୟତ ସହଯୋଗ କରିବାକୁ ସେ ଆଶା ବ୍ୟକ୍ତ କରିଛନ୍ତି। ଭିତ୍ତି ଭୂମିର ବିକାଶ ଏବଂ ଆନୁଷଙ୍ଗିକ ନିର୍ମାଣ ନିମନ୍ତେ ଆବଶ୍ୟକ ହେଲେ ଭାରତୀୟ ପନୂତତ୍ତ୍ଵ ବିଭାଗର ସ୍ବୀକୃତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ଦ୍ବାରା ରାଜ୍ୟ ତଥା ଦେଶରେ ପୀଠର ଖ୍ୟାତି ବୃଦ୍ଧି ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପୀଠର ପରିଷ୍କାର ପରିଛନ୍ନତା, ରକ୍ଷଣାବେକ୍ଷଣ ଉପରେ ଅଧିକ ଯନୂବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

କପିଳାସ ପୀଠର ସର୍ବାଙ୍ଗୀନ ବିକାଶ କରାଯାଇ ରୂପାନ୍ତରଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ଏପାଇଁ ଏକ ପାଞ୍ଚ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ୩ ଦିନ ମଧ୍ୟରେ ପୀଠର ସର୍ବାଙ୍ଗୀନ ଉନ୍ନତି ଏବଂ ପାରିପର୍ଶକ ବିକାଶର ପ୍ରକଳ୍ପ ପ୍ରଦାନ କରିବ। ମହିମା ଧର୍ମର ପ୍ରଚାର ପ୍ରସାର ଓ ଯୋରନ୍ଦା ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ସେହିଭଳି କପିଳାସ ପୀଠର ବିକାଶ ନିମନ୍ତେ ସରକାର ଆଦଶ୍ୟକ ଅର୍ଥ ମଞ୍ଜୁର କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଏହି ବୈଠକରେ ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ, କପିଳାସ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜଳ ଉତ୍ସ ଗୁଡିକର ଉନ୍ନତି, ଜଳ ସଂରକ୍ଷଣ ବ୍ୟବସ୍ଥା, ଯାତ୍ରୀ ବିଶ୍ରାମାଗାର, ପାର୍କିଙ୍ଗ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ପର୍ଯ୍ୟାପ୍ତ ଆଲୋକିକରଣ, ଡ୍ରେନେଜ ବ୍ୟବସ୍ଥା, ନଳକୂପ ବ୍ୟବସ୍ଥା, ସ୍ଥାୟୀ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥା, ପାହାଚର ଉନ୍ନତି କରଣ ଏବଂ ଯାତ୍ରୀ ବିଶ୍ରାମ ସ୍ଥଳ ନିର୍ମାଣ, ପାହାଚରେ ରେଲିଙ୍ଗ ବ୍ୟବସ୍ଥା, ବିଭିନ୍ନ ମଠର ପୁନର୍ବିକାଶ, ରାସ୍ତା ପାର୍ଶ୍ଵର ଉନ୍ନତି, ଅଧିକ ଶୌଚାଳୟ ନିର୍ମାଣ, ଶ୍ରଦ୍ଧାଳୁଙ୍କ ନିମନ୍ତେ ଖରା ବର୍ଷାରୁ ରକ୍ଷା ନିମନ୍ତେ ଆଶ୍ରୟସ୍ଥଳୀ ବ୍ୟବସ୍ଥା, ସୁରକ୍ଷା ପାଚେରୀ ନିର୍ମାଣ, ସି ସି କ୍ୟାମେରା ବ୍ୟବସ୍ଥା, ଟେଲି ଯୋଗାଯୋଗ ନିମନ୍ତେ ଟାୱାର ପ୍ରତିଷ୍ଠା, ସେବାୟତ ମାନଙ୍କ ନିମନ୍ତେ ବିଶ୍ରାମାଗାର, ଆନନ୍ଦ ବଜାରର ବିକାଶ ଆଦିର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦେଇଥିଲେ।

କପିଳାସ ପୀଠର ଉନ୍ନତି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ୪ କୋଟି ୭୩ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ କରାଯିବ ବୋଲି ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରକାଶ କରିଛନ୍ତି। ଏହି ବୈଠକରେ ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଭାରତୀୟ ପତ୍ବ ବିଭାଗର ପର୍ଯ୍ୟବେକ୍ଷକ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଗନ୍ଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣି ଖଟୁଆଙ୍କ ସମେତ ବିଭାଗୀୟ ଅଧିକାରୀ, ପୋଲିସ କର୍ମକର୍ତ୍ତା ଓ ପୀଠର ସମସ୍ତ ସେବାୟତ ମାନେ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ପୀଠର ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ପୀଠର ମୁଖ୍ୟ ସେବାୟତ ନିରଞ୍ଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!