ହକି ସ୍ମାରକୀ ପ୍ରତିମୂର୍ତ୍ତି ଭୁଷୁଡିବା ଘଟଣାର ଭିଜିଲାନ୍ସ ତଦନ୍ତ ଦାବିକଲା କଂଗ୍ରେସ

1 min read
Spread the love

ରାଉରକେଲା ବିମାନ ବନ୍ଦର ନିକଟରେ ଗତ ୬ ମାସ ତଳେ ସ୍ଥାପନା କରାଯାଇଥିବା ହକି ସ୍ମାରକୀ ପ୍ରତିମୂର୍ତ୍ତି ଭୁଷୁଡିବା ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ ତରଫରୁ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତିଙ୍କ ନେତୃତ୍ୱରେ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଗଣ ଭିଜିଲାନ୍ସ ଡିଭିଜନ କାର୍ଯ୍ୟାଳୟ ଠାରେ ଏ ନେଇ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ଏହି ଅଭିଯୋଗରେ ଗତ ହକି ବିଶ୍ୱକପ‌୍‍ ସମୟରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ରାଉରକେଲା ମହାନଗର ନିଗମ ତରଫରୁ ବିମାନ ବନ୍ଦର ନିକଟରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ହକି ସ୍ମାରକୀ ସ୍ଥାପନା କରାଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରର ଇମେଜାରୀ ସଂସ୍ଥା ଦ୍ୱାରା ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସ୍ଥାପନା କରାଯାଇଥିବା ବେଳେ ସ୍ଥାପନାରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଗତ ୧୧ ତାରିଖର ସାମାନ୍ୟ ହାଲ‌୍‍କା ପବନରେ ଏହା ଭୁଷୁଡି ପଡିଛି ବୋଲି ଉଲ୍ଲେଖ କରାଯାଇଛି। ସମ୍ପୃକ୍ତ ଠିକା ସଂସ୍ଥା, ମହାନଗର ନିଗମର ଯନ୍ତ୍ରୀ ଓ ଅଧିକାରୀଙ୍କ ସହିତ ମିଶି ଏହି ପ୍ରତିମୂର୍ତ୍ତି ସ୍ଥାପନା ବାବଦକୁ ବ୍ୟୟ ହୋଇଥିବା ୩୦ ଲକ୍ଷ ଟଙ୍କାର ଉପଯୁକ୍ତ ବିନିଯୋଗ ନ କରି ମୋଟା ଅଙ୍କର ଅର୍ଥ ହଡପ କରିଛନ୍ତି ବୋଲି ଅଭିଯୋଗ କରାଯାଇ  ଭିଜିଲାନ୍ସ ତଦନ୍ତ ହେଲେ ସବୁକଥା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି। ବିଗତ ଦିନରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ୨ ନମ୍ୱର ଫାଟକ ସମ୍ମୁଖ ରାସ୍ତା ଭୁଷୁଡି ପଡିଥିବା ବେଳେ ସମ୍ପ୍ରତି ପ୍ରତିମୂର୍ତ୍ତି ଭୁଷୁଡି ପଡିଛି ବୋଲି ଏତଲାରେ ଦର୍ଶାଯାଇ ତରବରିଆ ଭାବେ କରାଯାଇଥିବା ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଅଘଟଣ ସବୁ ଘଟୁଛି ବୋଲି ଏତଲାରେ କୁହାଯାଇ ଅନ୍ୟ ପ୍ରକଳ୍ପଗୁଡିକର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଦର୍ଶାଯାଇଛି। ତେଣୁ ସମ୍ପ୍ରତି ମହାନଗର ନିଗମ କର୍ତ୍ତୃପକ୍ଷ ଏହି ମୂର୍ତ୍ତି ଭୁଷୁଡି ପଡିବା ଘଟଣାକୁ ଅନ୍ୟରୂପ ଦେଇ ଦୁର୍ନୀତିକୁ ଘୋଡାଇବାକୁ ଉଦ୍ୟମ କରୁଥିବାରୁ କାଳବିଳମ୍ୱ ନ କରି ଭିଜିଲାନ୍ସ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିବାକୁ ଆଜି ଏତଲା ଦାୟର ସମୟରେ କଂଗ୍ରେସ ନେତୃବୃନ୍ଦ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଦାବି କରିଛନ୍ତି।

ଶ୍ରୀ ସେନାପତି ଏ ନେଇ ଅଭିଯୋଗ ଦାୟର କରିଥିବା ବେଳେ ଏଥିରେ ସାକ୍ଷୀ ଭାବେ ପୂର୍ବତନ ସଭାପତି ତଥା ପିସିସି ସଭ୍ୟ ରବି ରାୟ, ପିସିସି ସଭ୍ୟ ସବୀର ହୁସେନ ଓ ପ୍ରଭାତୀ ମିଶ୍ର, ବରିଷ୍ଠ ନେତା ଗଣେଶ ପ୍ରଧାନ, ଓବିସି ରାଷ୍ଟ୍ରୀୟ ସହସଂଯୋଜକ କୈଳାସ ସାହୁ, ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ମହିଳା ସଭାନେତ୍ରୀ ନିରୂପମା ବଳିୟାରସିଂ, ଯୁବ ସଭାପତି ଜ୍ଞାନେନ୍ଦ୍ର ଦାସ, ଲିଗାଲ ସେଲ‌୍‍ ଅଧ୍ୟକ୍ଷ ବିସ୍ମୟ ଦାସ, ଓବିସି ଅଧ୍ୟକ୍ଷ ବୈଲୋଚନ ସାହୁ, ବ୍ଲକ‌୍‍ ସଭାପତି ବିଜୟ ଆପଟ ଓ ପ୍ରଦ୍ୟୁମ୍ନ ଷଡଙ୍ଗୀ, ମୁଖପାତ୍ର ଇଂ.ଆର‌୍‍.ପି. ସିଂହ, ପିସିସି ସମ୍ପାଦକ ଧମେନ୍ଦ୍ର ପରମାର, ଜିତେନ୍ଦ୍ର ଦାସ, ରୁକସାନା ବେଗମ, ବରିଷ୍ଠ ନେତା ଭାସ୍କର ଖିଲ୍ଲାର, କାର୍ତ୍ତିକ ବେଉରିଆ, ଚତୁର୍ଭୁଜ ସାମଲ, ରେହେମାନ ଖାନ, ବନମାଳୀ ବିଶୋୟୀ, ପ୍ରସନ୍ନ ବଳିୟାରସିଂହ, ଶିବୁ ଦୀପ, ବିଜୟ ସାହୁ, ବିଦ୍ୟାସାଗର ସିଂହ, ବସନ୍ତ ସାମଲ, ସାମାଜିକ ଗଣମାଧ୍ୟମର ସୁଧୀର ନାଥ, ସୁବଳ ବାସୁରୀ, ରାଜେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!