ଆର୍‌ଏସ୍‌ପି ଦ୍ୱାରା ପ୍ରାୟୋଜିତ ୩୦ ଜଣ ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କ ସିପେଟରେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ନିଯୁକ୍ତି ଲାଭ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି -ସିପେଟ, ଭୁବନେଶ୍ୱରରେ ‘ମେସିନ୍ ଅପରେଟର୍ – ପ୍ଲାଷ୍ଟିକ୍ ପ୍ରୋସେସିଂ (ଏମଓ-ପିପି)’ ରେ ୬ ମାସର ସାର୍ଟିଫିକେଟ୍ ପାଠ୍ୟକ୍ରମ ନିମନ୍ତେ ପ୍ରାୟୋଜିତ  ସମସ୍ତ ୩୦ ଜଣ ବଞ୍ଚିତ ଶ୍ରେଣୀର ଛାତ୍ରଛାତ୍ରୀ ଦକ୍ଷତା ବିକାଶ ପାଠ୍ୟକ୍ରମର ସଫଳ ସମାପ୍ତି ପରେ କ୍ୟାମ୍ପସ ପ୍ଲେସମେଣ୍ଟରେ ନିଯୁକ୍ତି ଅଫର ଲାଭ କରିଛନ୍ତି। ସେକ୍ଟର-୨୦ ପାର୍ଶ୍ଵାଞ୍ଚଳ ବିକାଶ ପ୍ରତିଷ୍ଠାନରେ ସିଏସ୍ଆର ବିଭାଗ ଦ୍ୱାରା ଜୁନ ୧୨ ତାରିଖରେ ଆୟୋଜିତ ଏକ ଅଧିବେଶନରେ ବିଇ ଓ ଆଇଇଡ଼ି ବିଭାଗର ଜିଏମ ଇନ ଚାର୍ଜ ସୁଶ୍ରୀ ଚୈତାଳି ଦାସ ଅଧ୍ୟକ୍ଷତା କରି ଦ୍ଵିତୀୟ ବ୍ୟାଚ ଛାତ୍ରଛାତ୍ରୀଙ୍କୁ କୋର୍ସ ସଂପୂର୍ଣ୍ଣ ପ୍ରମାଣ ପତ୍ର ଓ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ। ଏହି ଅବସରରେ ସିଏସଆର ବିଭାଗର ଜିଏମ୍ ସୁଶ୍ରୀ ମୁନମୁନ ମିତ୍ରା, ଏଜିଏମ ଶ୍ରୀ ଟି ବି ଟପ୍ପୋ ଏବଂ ସିଏସ୍ଆର ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୁଶ୍ରୀ ଦାସ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କାର୍ଯ୍ୟ କରିବା ସମୟରେ ସେମାନଙ୍କର ଜ୍ଞାନ ଓ ଦକ୍ଷତାରେ ଅଧିକ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ ଯାହା ଦ୍ଵାରା ସେମାନେ ବଜାର ଅନୁକୂଳତା ଲାଭ କରିପାରିବେ।

ପ୍ରାରମ୍ଭରେ ସୁଶ୍ରୀ ମୁନମୁନ୍ ମିତ୍ର ସମାବେଶକୁ ସ୍ୱାଗତ କରିବା ସହିତ ସିଏସଆର କାର୍ଯ୍ୟଧାରା ଏବଂ ପାଠ୍ୟକ୍ରମ ମଡ୍ୟୁଲ୍ ଉପରେ ସଂକ୍ଷିପ୍ତରେ ତଥ୍ୟ ରଖିଥିଲେ। ଟି ବି ଟପ୍ପୋ ଧନ୍ୟବାଦ ଜ୍ଞାପନ କରିଥିଲେ।  ସିଏସଆର ବିଭାଗର ସିନିୟର ଫିଲ୍ଡ ଆସିଷ୍ଟାଣ୍ଟ ଶ୍ରୀ ବେନେଡିକ୍ଟ ଏକ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୂଚନାଯୋଗ୍ୟ ଯେ, ଦ୍ଵିତୀୟ ବ୍ୟାଚର ୩୦ଜଣ ଛାତ୍ରଛାତ୍ରୀଙ୍କୁ ୨୦୨୨ ଡିସେମ୍ବର ୩ ତାରିଖରେ ସିପେଟ ଭୁବନେଶ୍ବର ଠାରେ ଏମଓ-ପିପି ୬ ମାସର ସାର୍ଟିଫିକେଟ୍ ପାଠ୍ୟକ୍ରମ ନିମନ୍ତେ ପଠାଯାଇଥିଲା।  ୨୦୨୩ ଜୁନ ୬ ତାରିଖରେ ପ୍ରଶିକ୍ଷଣ ସମାପ୍ତ ପରେ ସେମାନେ ତାମିଲନାଡୁ, ମହରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟର ବିଭିନ୍ନ କମ୍ପାନୀରେ କ୍ୟାମ୍ପସ ନିଯୁକ୍ତି ଲାଭ କରିଥିଲେ।  ଏହି ପାଠ୍ୟକ୍ରମ ପାଇଁ ଆରଏସପି ସିଏସଆର ଆଡମିଶନ ଏବଂ ପାଠ୍ୟକ୍ରମ ଫି, ବହି, ହଷ୍ଟେଲ ଏବଂ ଖାଦ୍ୟ ଦେୟ ଇତ୍ୟାଦି ଛାତ୍ରଛାତ୍ରୀଙ୍କ ସମସ୍ତ ଖର୍ଚ୍ଚ ବହନ କରୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧୦.୪୩ ଲକ୍ଷ ଟଙ୍କା ବ୍ୟୟରେ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସିପେଟକୁ ତାଲିମ ନିମନ୍ତେ ପଠାଯାଇଥିଲା ଯେଉଁମାନେ ଉପରୋକ୍ତ ପାଠ୍ୟକ୍ରମ ଶେଷ କରିବା ପରେ ସମସ୍ତେ କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ମାଧ୍ୟମରେ ସମସ୍ତେ ନିଯୁକ୍ତି ଅଫର୍ ପାଇଥିଲେ। ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ ୭୦ ଜଣ ବିଦ୍ୟାର୍ଥୀ ଲାଭବାନ ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!