ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ବାହାନଗା ରେଳ ଦୁର୍ଘଟଣାକୁ ନେଇ ଧାରଣା
1 min read
ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ରେଳ ଯାତ୍ରୀ ଓ ଆହତ ହୋଇଥିବା ୧୧୦୦ ଜଣ ରେଳଯାତ୍ରୀଙ୍କ ପାଇଁ ସମବେଦନା ଜଣାଇବା ସହିତ ଏହାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଇବା, ରେଳ ଦୁର୍ଘଟଣା ସମ୍ପର୍କରେ ସିବିଆଇ ତଦନ୍ତ ପ୍ରତ୍ୟାହାର, ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳ ମନ୍ତ୍ରୀଙ୍କ ଇସ୍ତଫା; ଆଦି ୧୩ ଦଫା ଦାବୀକୁ ନେଇ ବିଭିନ୍ନ ବିରୋଧୀ ରାଜନୈତିକ ଦଳମାନଙ୍କ ପକ୍ଷରୁ ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଏହି ବିରୋଧୀ ରାଜନୈତିକ ଦଳମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଆମ୍ ଆଦମୀ ପାର୍ଟି ପ୍ରମୁଖଙ୍କ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଧାରଣାରେ କଂଗ୍ରେସର ବୀରେନ ସେନାପତି, କୈଳାସ ସାହୁ, ରବି ରାୟ, ସବୀର ହୁସେନ୍, କିର୍ତ୍ତନ ଦାସ, ବନମାଳି ବିଶୋଇ, ଭାସ୍କର ଖିଲାର, ସିଆଇଟିୟୁର ବିଷ୍ଣୁ ମହାନ୍ତି, ବିମାନ ମାଇତି, ରାଜକିଶୋର ପ୍ରଧାନ, ଜାହାଙ୍ଗୀର ଅଲ୍ଲୀଙ୍କ ସମେତ ମୋଟ ୫ଟି ବିରୋଧୀ ଦଳର କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ବିଭାଗ ଏଆରଏମଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ପତ୍ରରେ ରେଳବାଇର ଖାଲି ପଡିଥିବା ପଦବୀ ପୂରଣ ସମେତ ରେଳପଥର ଉନ୍ନତିକରଣ, ରେଳ କୋଚର ଉନ୍ନତିକରଣ ସହିତ ବିଭିନ୍ନ ରେଳଯାତ୍ରୀ ସୁବିଧା ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।