ଏନଏସଡ଼ି ଓ ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ମିଳିତ ଭାବେ ଗ୍ରୀଷ୍ମକାଳୀନ ନାଟକ ମହୋତ୍ସବ-୨୦୨୩ ଉଦ୍ଯାପିତ
1 min read
ଜାତୀୟ ଡ୍ରାମା ବିଦ୍ୟାଳୟ-ଏନଏସଡ଼ି ରେପରେଟୋରି କମ୍ପାନୀ, ଦିଲ୍ଲୀ ଏବଂ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ରାଉରକେଲା ସିଭିକ୍ ସେଣ୍ଟରଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ନାଟକ ମହୋତ୍ସବରେ ଚିତ୍ତାକର୍ଷକ ଅଭିନୟ ତଥା ଉଚ୍ଚ ମନୋରଞ୍ଜକ ପ୍ରଦର୍ଶନ ଦର୍ଶକଙ୍କ ମାନସପଟ୍ଟରେ ଏକ ଅଭୂଲା ସ୍ମୃତି ସୃଷ୍ଟି କରିବା ସହିତ ଉଦଯାପିତ ହୋଇଛି। ଉତ୍ସବର ଶେଷ ସନ୍ଧ୍ୟାରେ ‘ତାଜମହଲ କା ଟେଣ୍ଡର’ ମଞ୍ଚସ୍ଥ ହୋଇଥିଲା। ଅଜୟ ଶୁକ୍ଲାଙ୍କ ରଚିତ ଏବଂ ଚିତ୍ତରଂଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ବ୍ୟଙ୍ଗାତ୍ମକ ନାଟକ “ତାଜମହଲ କା ଟେଣ୍ଡର” ମଞ୍ଚସ୍ଥ ହେବା ସହିତ ଏହି ପାଞ୍ଚ ଦିନିଆ ଉତ୍ସବ ସମାପ୍ତ ହୋଇଥିଲା। ଏକବିଂଶ ଶତାବ୍ଦୀରେ ତାଜମହଲ ନିର୍ମାଣ ପାଇଁ ସମ୍ରାଟ ଶାହଜାହାନଙ୍କ ଅଭିପ୍ରାୟ କିଭଳି ଅମଲାତନ୍ତ୍ରର ଜଞ୍ଚାଳ ମଧ୍ୟରେ ବାନ୍ଧି ହୋଇରହିଯାଉଛି ସମ୍ପର୍କରେ ବାର୍ତ୍ତା ଦିଆଯାଇଛି। ନାଟକରେ ସାମ୍ପ୍ରତିକ ବ୍ୟବସ୍ଥାରେ ଚାଲିଥିବା ଅସଙ୍ଗତି, ଦୁର୍ନୀତି, ଅପାରଗତା, ପକ୍ଷପାତିତା ଏବଂ ମାନବୀୟ ସମ୍ବେଦନଶୀଳତା ପ୍ରସଙ୍ଗକୁ ଚମତ୍କାରଭାବେ ବ୍ୟଙ୍ଗାତ୍ମକ ରୂପେ ପରିବେଷିତ ହୋଇଥିଲା।

ଶେଷ ସନ୍ଧ୍ୟାରେ ସିଭିକ୍ ସେଣ୍ଟରଠାରେ ନାଟ୍ୟ ପ୍ରେମୀଙ୍କ ଭରପୁର ଉପସ୍ଥିତି ଥିଲା। ଓଡ଼ିଶା ସରକାରଙ୍କ ଶ୍ରମ ଓ ଇଏସଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଆରଏସପି କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ, ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠିର ଆୟୁକ୍ତ ଜୟ କୁମାର ଏବଂ ଆରଏସପି ସହର ପ୍ରଶାସନ ଓ ସିଏସଆର ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଏନଏସଡ଼ି ଡ୍ରାମା ପ୍ରଦର୍ଶନ କରିଥିବା ୨୫ଜଣ କଳାକାରମାନଙ୍କ ସମେତ ୧୫ଜଣ ବୈଷୟିକ ସହାୟକମାନଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ନାଟକରେ ପ୍ରଦର୍ଶିତ ହୋଇଥିବା କଳାତ୍ମକ ଉତ୍କର୍ଷତାର ଶ୍ରୀ ସୁର୍ଯ୍ୟବଂଶୀ ଉଚ୍ଚ ପ୍ରଶଂସା କରିଥିଲେ। ଜଣେ ଥିଏଟର ପ୍ରେମୀ ଭାବେ ଜୟ କୁମାର ନାଟକର ବିଷୟବସ୍ତୁ ଏବଂ ଉପସ୍ଥାପନାକୁ ବିଶ୍ଳେଷଣ କରିଥିଲେ ଏବଂ ନାଟକର ବହୁମୂଲ୍ୟ ବିଷୟବସ୍ତୁ ଏବଂ ଗୁଣର ପ୍ରଶଂସା କରିଥିଲେ । ଏଥିରେ ଦିଲ୍ଲୀର ଏନଏସଡି ରେପରେଟୋରୀ କମ୍ପାନୀର ମୁଖ୍ୟ ରାଜେଶ ସିଂହ, ଏନ୍ଏସ୍ଡି ସହକାରୀ ପ୍ରାଧ୍ୟାପକ ଅରୁଣ କୁମାର ମଲ୍ଲିକ ଏବଂ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀ ରାଜେଶ ସିଂ ତାଙ୍କ ସମ୍ବୋଧନରେ ଆରଏସପିକୁ ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଏହି ମୂଲ୍ୟବାନ ସହଭାଗିତା ଉକ୍ତ ପାଞ୍ଚ ଦିନିଆ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ସମ୍ଭବ କରିପାରିଥିବା ଦର୍ଶାଇଥିଲେ। ଆରଏସପି ଲୋକସମ୍ପର୍କ ବିଭାଗର ଡ଼ିଜିଏମ ତଥା ସଞ୍ଚାରମୁଖ୍ୟ ଶ୍ରୀମତୀ ଅର୍ଚ୍ଚନା ଶତପଥୀ ଉଦଯାପନୀ ସନ୍ଧ୍ୟାର ସମାରୋହ ସଂଯୋଜନା କରିଥିଲେ।