ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା
1 min read
ପ୍ରତିବର୍ଷ ଜୁନ୍ ୧୨ ତାରିଖକୁ ‘ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ’ ଭାବେ ପାଳନ କରାଯାଇଥାଏ। ବିଶ୍ବବ୍ୟାପୀ ଶିଶୁ ଶ୍ରମ ପ୍ରଥାର ସଂପୂର୍ଣ୍ଣ ଉଚ୍ଛେଦ ଲକ୍ଷ୍ୟରେ ଆନ୍ତର୍ଜାତିକ ଶ୍ରମିକ ସଂଘ – ଆଇଏଲ୍ଓ ପକ୍ଷରୁ ୨୦୦୨ ମସିହାରୁ ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି। ବିଶେଷ କରି ଶିଶୁ ଶ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାକୁ ଚିରଦିନ ପାଇଁ ବନ୍ଦ କରିଦେବା ଲକ୍ଷ୍ୟରେ ବ୍ୟକ୍ତିବିଶେଷ, ସଂଗଠନ ଓ ସରକାରମାନଙ୍କୁ ଉତ୍ସାହିତ କରାଯାଇଥାଏ। ସମ୍ପ୍ରତି ପୃଥିବୀରେ ୨୧.୮ କୋଟି ଶିଶୁ ଶ୍ରମିକ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବା ଆକଳନ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଶିଶୁ ବିପଦପୂର୍ଣ୍ଣ ପରିବେଶରେ କାମ କରୁଛନ୍ତି। ଏଥିପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ସହ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯଇଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସଭିଙ୍କ ଲାଗି ସାମାଜିକ ନ୍ୟାୟ। ଶିଶୁ ଶ୍ରମ ବନ୍ଦ କର।’

ଏହି କ୍ରମରେ ରାଉରକେଲା ସ୍ଥିତ ଶ୍ରମ ବିଭାଗ ପକ୍ଷରୁ ବିଭାଗୀୟ ଯୁଗ୍ମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନାଙ୍କ ନେତୃତ୍ୱରେ ଏକ ସଚେତନ ଶୋଭାଯତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ସମେତ ଅଙ୍ଗନବାଡ଼ି କର୍ମୀମାନେ ଶିଶୁ ଶ୍ରମିକ ନିରୋଧ ସମ୍ପର୍କୀତ ବିଭିନ୍ନ ବାର୍ତ୍ତା ସମ୍ବଳିତ ପ୍ରଚାରପତ୍ର ଧରି ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହି ଶୋଭାଯାତ୍ରା ମାଧ୍ୟମରେ ଶିଶୁ ଶ୍ରମିକ ମାନଙ୍କ ଉନ୍ନତି ଓ ବିକାଶ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ଏଥିରେ ଶ୍ରମ ବିଭାଗ ସ୍ଥାନୀୟ କାର୍ଯ୍ୟାଳୟର ବିଭିନ୍ନ ବର୍ଗର ଅଧିକାରୀ ଯଥା ଜିଲ୍ଲା ଶ୍ରମ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।