ରାଉରକେଲା ବିମାନ ବନ୍ଦର ପାଖରେ ଭାଙ୍ଗିଲା ୪୦ ଫୁଟ ଉଚ୍ଚତାର ହକି ଖେଳାଳୀ ମୂର୍ତ୍ତି
1 min read
ଚଳିତ ବର୍ଷ ଜାନୁଆରୀ ମାସରେ ରାଉରକେଲାରେ ବିଶ୍ୱ କପ୍ ହକି ଖେଳ ଆୟୋଜନ ପାଇଁ ସଜେଇ ହୋଇଥିଲା ରାଉରକେଲା। ଏହି ସମୟରେ ରାଉରକେଲା ବିମାନ ବନ୍ଦର ମଧ୍ୟ ନବୀକୃତ ହୋଇଥିଲା। ନବୀକରଣ ସମୟରେ ବିମାନ ବନ୍ଦର ନିକଟବର୍ତ୍ତୀ ପ୍ରାୟ ୫୦ ଡେସିମିଲ ସ୍ଥାନରେ ଜଣେ ହଲି ଖେଳାଳୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ହକି ମୂର୍ତ୍ତିଟି ରବିବାର ଅର୍ଥାତ୍ ୧୧ ଜୁନ୍ ମଧ୍ୟାହ୍ନ ସମୟରେ ଭାଙ୍ଗି ପଡ଼ିଛି। ମଧ୍ୟାହ୍ନ ସମୟରେ ପ୍ରାୟ ୫ ରୁ ୧୦ ମିନିତ ପର୍ଯ୍ୟନ୍ତ କାଳ ବୈଶାଖୀ ହୋଇ ବର୍ଷା ଓ ପବନ ପରେ ମୁର୍ତ୍ତିଟି ଭାଙ୍ଗି ତଳେ ପଡ଼ିଯାଇଛି। ସୂଚନା ମୁତାବକ ମୂର୍ତ୍ତିଟି ସ୍ଥାପିତ ହୋଇଥିବା ଖୁଣ୍ଟରୁ ହିଁ ଭାଙ୍ଗି ପଡ଼ିଯାଇଛି। ନିର୍ମାଣ ହେବାର ମାତ୍ର ୫ମାସ ମଧ୍ୟରେ ମୂର୍ତ୍ତିଟି ଭାଙ୍ଗି ତଳେ ପଡ଼ିଯିବାକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ଏହି ହକି ଖେଳାଳୀଙ୍କ ମୂର୍ତ୍ତି ରାଉରକେଲା ଇସ୍ପାତ କାରଖାନାରୁ ବାହାରିଥିବା ସ୍କାର୍ପରୁ ତିଆରି ହୋଇଥିବା କୁହାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଗଡ଼ କୁହାଯାଇଥାଏ। କାରଣ ଏହି ଜିଲ୍ଲାରୁ ଶତାଧିକ ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳି ବାହାରିଛନ୍ତି। ତେଣୁ ହକିର ପ୍ରତୀକ ଭାବେ ନିର୍ମିତ ଏହି ପ୍ରତିମୂର୍ତ୍ତିଟି ବିସ୍ରା ମୁଣ୍ଡା ହକି ଷ୍ଟାଡିୟମ ଯିବା ରାସ୍ତାରେ ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ବାର ନିକଟରେ ନିର୍ମାଣ ହୋଇଥିଲା। ଏହାର ଉଚ୍ଚତା ୪୦ ଫୁଟ ରହିଥିଲା। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଏକ ଆକର୍ଷଣୀୟ ପାର୍କ ନିର୍ମାଣ ସହିତ ମୂର୍ତ୍ତିଟି ୮୧ ଲକ୍ଷ ତଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଏଥିମଧ୍ୟରୁ ପ୍ରୟିମୂର୍ତ୍ତି ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଜଣପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଚ୍ୟୁକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।
ଶେଷ ସୂଚନା ମୁତାବକ ମହାନଗର ନିଗମ ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ରବିବାର ହୋଇଥିଲେ ମଧ୍ୟ ତଳେ ପଡ଼ିଯାଇଥିବା ଏହି ମୂର୍ତ୍ତିକୁ ଜରି ପାଲ ମାଧ୍ୟମରେ ଢାଙ୍କି ଦିଆଯାଇଛି। ସୂଚନା ମୁତାବକ ମହାନଗର ନିଗମ ଆୟୁକ୍ତ ଏହି ଘଟଣାର ତଦନ୍ତ ନିମନ୍ତେ ଏକ କମିଟି ଗଠନ କରିଛନ୍ତି। କମିତିର ରିପୋର୍ଟ୍ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କଋଆଯିବ। ଅନ୍ୟପକ୍ଷରେ ଏହି ମୂର୍ତ୍ତି ନିକଟରେ ପ୍ରତିଦିନ ଶହ ଶହ ଲୋକ ସେଲ୍ଫି ଓ ଫୋଟୋ ଉଠାଇଥାନ୍ତି। ରବିବାର ଖରା ଓ ମଧ୍ୟାହ୍ନ ଥିବାରୁ ମୂର୍ତ୍ତିଟି ତଳେ ପଡ଼ିବା ସମୟରେ କେହି ସେଠାରେ ନଥିଲେ, ତେଣୁ କାହାରି କିଛି କ୍ଷତି ହୋଇନାହିଁ। ମୂର୍ତ୍ତି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ମୂର୍ତ୍ତି ଭାଙ୍ଗି ଯାଇଥିବା ଆଲୋଚନା ହେଉଛି। ଏବେ ଦେଖିବାକୁ ବାକି ରହିଲା ମୂର୍ତ୍ତି ଭାଙ୍ଗିବାକୁ ନେଇ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଉଛନ୍ତି।
ଅନ୍ୟପକ୍ଷରେ ଏହି ମୂର୍ତ୍ତି ନିକଟରେ ଥିବା ବିଶ୍ରା ମୁଣ୍ଡା ଅନ୍ତର୍ଜତୀୟ ହକି ଷ୍ଟାଡିୟମ୍ରେ ରବିବାରଠାରୁ ଆରମ୍ଭ ହୋଇଛି ଜାତୀୟ କନିଷ୍ଠ ପୁରୁଷ ହକି ଚମ୍ପାନସିପ୍। ଏଥିରେ ୨୯ଟି ଦଳ ଭାଗନେଇଛନ୍ତି। ମୂର୍ତ୍ତି ଭାଙ୍ଗିବା ପୂର୍ବରୁ ଷ୍ଟାଡିୟମ୍ରେ ଦୁଇଟି ମ୍ୟାଚ୍ ଖେଳା ସରିଥିଲା।