କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ସ୍ମୃତି ଚାରଣ ସଭା ଆୟୋଜିତ

1 min read
Spread the love

କମ୍ରେଡ ବନମାଳି ଧୁପାଳ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ  ଅଲଇଣ୍ଡିଆ ଓମେନ ଆଣ୍ଡ ଚାଇଲ୍ଡ ୱେଲଫେୟାର ଆସୋସିଏସନ୍ ( ଏଆଇଡବ୍ଲୁସିଡବ୍ଲୁଏ) ଓ ଭାରତର କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ ଦଲର ମିଳିତ ଆନୁକୂଲ୍ୟରେ କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ଚାରଣ ସଭା ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର କେନ୍ଦ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ବ ଏବଂ ଏଆଇଡବ୍ଲୁସିଡବ୍ଲୁଏ ର ମୁଖ୍ୟ ଡଃ ମଧୁସ୍ମିତା ଧୁପାଳ ଙ୍କ ଆବାହକତ୍ବରେ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଶିକ୍ଷାବିତ ଡଃ କିଶୋରୀ ଦାଶ,ଡଃ ପ୍ରଭାତ ମଲ୍ଲିକ ଓ ଡାକ୍ତର ଦିପ୍ତୀରଂଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରୟାତ ଧୁପାଳଙ୍କ ଜୀବନୀ, ସଂଘର୍ଷ ଓ ଶ୍ରମିକ ଆନ୍ଦୋଳନରେ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଇନଜୀବୀ ଚନ୍ଦ୍ରଭାନୁ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ସ୍ୱର୍ଗତ ଶ୍ରୀ ଧୂପାଳଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ମହାନ୍ତି ଶ୍ରୀ ଧୁପାଳଙ୍କୁ ଭାଷା ଓ ଶ୍ରମିକ ଆନ୍ଦୋଳନର ଅନ୍ୟତମ ଯୋଦ୍ଧା ଭାବେ ଅବହିତ କରିବା ସହ ଅନ୍ୟାୟ, ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନର ସେ ପ୍ରମୁଖ କର୍ଣ୍ଣଧାର ବୋଲି କହିଥିଲେ ।

ଅତିଥି ବିଧାୟକ ଶ୍ରୀ ମୁଣ୍ଡା, ଡଃ ଦାଶ ଓ ଡଃ ମଲ୍ଲିକ ସ୍ବର୍ଗତ ଧୁପାଳଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ଅନୁକରଣୀୟ, ଆଦିବାସୀ ଙ୍କ ସ୍ବର, ପ୍ରେମ ସମ୍ଭାବନା ଓ ସଂପ୍ରୀତି ର ପ୍ରତୀକ ତଥା  ସଂପର୍କର ସେତୁ ରୂପେ ଅବିହିତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ସାହୁ, ଡାକ୍ତର ୟୁ ସି ଜେନା, ଡଃ ସଞ୍ଜୟ ହାତୀ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ କବି କୁଞ୍ଜବିହାରୀ ରାଉତ ସ୍ୱର୍ଗତ ଧୁପାଳଙ୍କ ସଂପର୍କରେ ଏକ କବିତା ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ସୁଜ୍ଞାନୀ ରାୟ, ଦେବ ପଟ୍ଟନାୟକ,  ଦେବ ଗଡତିଆ, ପବନ ତିୱାରୀ, ଅବନୀ ମହାପାତ୍ର, ଅଶୋକ ଦାଶ, ସାହିତ୍ୟ କ୍ଷେତ୍ରରେ ଡଃ ସଞ୍ଜୟ ହାତୀ,ଡଃ କିଶୋରୀ ଦାଶ, ଡଃ ପ୍ରଭାତ ମଲ୍ଲିକ, ସମାଜସେବା କ୍ଷେତ୍ରରେ ଡାକ୍ତର ସନ୍ତୋଷ କୁମାର ସେଠୀ,ଡାକ୍ତର ଦିପ୍ତୀରଂଜନ ତ୍ରିପାଠୀ, ସଞ୍ଜୟ ସାମଲ, ଡି ଅଭିକ କୁମାରଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ଡାକ୍ତର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଧୁପାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!