‘ଲୈଲା ମଜନୁ’ ମାଧ୍ୟମରେ ଶାସ୍ୱତ ପ୍ରେମର ବାର୍ତ୍ତା ଦେଲା ଗ୍ରୀଷ୍ମକାଳୀନ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ନାଟକ
1 min read
ସପ୍ତମ ଶତାବ୍ଦୀରେ ମୂଳ ପାର୍ସୀ ଭାଷାରେ ଲିଖିତ କାହାଣୀ ‘ଲୈଲା ମଜନୁ’ ଗତ ୧୫ଶହ ବର୍ଷ ମଧ୍ୟରେ ଅନେକ ଲେଖକମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ଶୈଳୀରେ ଲେଖାଯାଇଛି। ଏହା ସତ୍ତ୍ୱେ ସୁଦ୍ଧା ଲୈଲା ମଜ୍ନୁର ଶାସ୍ୱତ ପ୍ରେମ କାହାଣୀ ବର୍ଷକୁ ବର୍ଷ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର ଲାଭ କରିଛି। ଆଜି ମଧ୍ୟ ଗଭୀର ପ୍ରେମ କରୁଥିବା ଯୁବଜ ଓ ଯୁବତୀଙ୍କୁ ଲୈଲା ମଜନୁଭାବେ ଚିତ୍ରନ କରାଯାଇଥାଏ। ନାଟ୍ୟକାର ଇସମାଇଲ ଚୁନାରାଙ୍କ ରଚନା ଓ ପ୍ରଶିଦ୍ଧ ନିର୍ଦ୍ଦେଶକ ରାମଗୋପାଳ ବଜାଜଙ୍କ ନିର୍ଦ୍ଦେଶନାରେ ରାଉରକେଲାର ସିଭିକ ସେଣ୍ଟରଠାରେ ଚାଲିଥିବା ଏନଏସ୍ଡି ରେପୋରୋଟୋରୀ କମ୍ପାନୀ ପକ୍ଷରୁ ପ୍ରଦର୍ଶନ ହୋଇଛି ନାଟକ ଲୈଲା ମଜ୍ନୁ।

ଏହି ନାଟକ ମାଧ୍ୟମରେ ଲୈଲା ଓ ମଜ୍ନୁର ଭଲ ପାଇବା ଓ ଦୁଇଟି ପରିବାରର ଅସହମତି ଯୋଗୁଁ ଦୁହେଁ ପରସ୍ପରଠାରୁ ଦୂରେଇ ଯିବା ଓ ସମୟ ଚକ୍ରରେ ଦୁହିଁଙ୍କର ମୃତ୍ୟୁ ହେଉଛି ନାଟକର କାହାଣୀ। ପ୍ରାୟ ୧୫ଶହ ବର୍ଷ ପୂର୍ବର କାହାଣୀକୁ ନେଇ ଏନ୍ଏସ୍ଡି କଳକାରଙ୍କ ଦମ୍ଦାର ଅଭିନୟ ସହିତ ଆକର୍ଷଣୀୟ ମଞ୍ଚସଜ୍ଜା ମନ୍ତ୍ରମୁଗଧ କରିଥିଲା ନାଟ୍ୟପ୍ରେମୀ। ବିଶେଷ କରି ଯାଜାବର ଜାତିର ମଜ୍ନୁ ଏବଂ ତାଙ୍କ ପରିବାରର ବେଶ ପୋଷାକ ର ଚିତ୍ରଣ ବେଶ୍ ଆକର୍ଷଣୀୟ ହୋଇଥିଲା।

ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମକୁ ରାଉରକେଲା ଇସ୍ପାତ କାରଖାନାର ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି କୁମାର ହୋତା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏନ୍ଏସ୍ଡି ଜାତୀୟ ଡ୍ରାମା ସ୍କୁଲ୍ ରିପେରୋଟୋରୀ କମ୍ପାନୀର ନିର୍ଦ୍ଦେଶକ ରାଜେଶ ସିଂହ ଏବଂ ଆର୍ଏସପି ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥି ଏବଂ ନାଟ୍ୟ ମହୋତ୍ସବର ସ୍ଥାନୀୟ ସଂଯୋଜକ ତଥା ନାଟ୍ୟକାର ଓ ଅଭିନେତା ଭାସ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।