ଢେଙ୍କାନାଳ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

1 min read
Spread the love

ଢେଙ୍କାନାଳ  ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ସଭାପତିତ୍ଵରେ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ବିଧାୟକ ଡକ୍ଟର ନୃସିଂହ ଚରଣ ସାହୁ, ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧି ମିଳିମିଶି ସହଯୋଗ ମନୋବୃତିରେ କାମ କରି ଜିଲ୍ଲାକୁ ରାଜ୍ୟରେ ଏକ ଆଗୁଆ ଜିଲ୍ଲାରେ ପରିଣତ କରିବାକୁ ଆଲୋଚନା ହୋଇଥିଲା।

ସମସ୍ତଙ୍କର ସହଯୋଗରେ ଜିଲ୍ଲାର ବିକାଶ ଧାରା ଜାରି ରହିଛି ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ ମତ ବ୍ୟକ୍ତ କରିବା ସହିତ ଜିଲ୍ଲା ପରିଷଦର ସଦସ୍ୟ ମାନେ ଲୋକମାନଙ୍କର ସାମୁହିକ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଯୋଜନା ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ କହିଥିଲେ। ବିଦ୍ୟୁତ ସରବରାହକୁ ଅଧିକ ବ୍ୟବସ୍ଥିତ କରିବା, ପାନୀୟ ଜଳ ଯୋଗାଣର ସୁପରିଚାଳନା କରିବା, ସମସ୍ତ କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରାଇ ଅଧିକ ଜଳସେଚନର ସୁବିଧା କରିବା, ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବିଭିନ୍ନ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି, ଆଭ୍ୟନ୍ତରୀଣ ଅଞ୍ଚଲରେ ରୋଗୀ ସେବା ନିମନ୍ତେ ଭ୍ରାମ୍ୟମାଣ ଚିକିତ୍ସା ବ୍ୟବସ୍ଥା, ହାତୀ ଉପଦ୍ରବକୁ ରୋକିବା ନିମନ୍ତେ ବ୍ୟବସ୍ଥା, ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଛାତ୍ରଛାତ୍ରୀଙ୍କୁ ପୋଷାକ, ପୁସ୍ତକ ଏବଂ ସାଇକେଲ ପ୍ରଦାନ, ବିଭିନ୍ନ ଯୋଜନାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ଲୋକଙ୍କୁ କର୍ମ ଯୋଗାଣ, ମୋ ଘର ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜିଲ୍ଲାର ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟ ପ୍ରଦାନ ନିମନ୍ତେ ସମନ୍ବୟ ରକ୍ଷା କରି ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ଅଧିକ ଧ୍ୟାନ ଦେବାକୁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ବିଳାସିନୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ସରୋଜ କୁମାର ଦତ୍ତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ବ୍ଳକ ଅଧ୍ୟକ୍ଷା, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!