‘ଟାଟା କପର’ ବ୍ରାଣ୍ଡ ପାଣି ବୋତଲରେ ପୋକ କୁ ନେଇ ଗ୍ରାହକଙ୍କ ଅସନ୍ତୋଷ
1 min read
ରାଉରକେଲା ସହରର ବିଭିନ୍ନ ସ୍ଥାନ ଯଥା ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡ୍ ଅଞ୍ଚଳରେ ବିକ୍ରୟ ହେଉଛି ଅନେକ ନାମି ଦାମୀ ବ୍ରାଣ୍ଡ୍ର ପାନୀୟ ଜଳ ବୋତଲ। ଅନେକ ସମୟରେ ଏହି ବୋତଲରେ ଥିବା ପାଣିର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି କ୍ରମରେ ଶୁକ୍ରବାର ରାଉରକେଲା ରେଳ ଷ୍ଟେସନ ଅଞ୍ଚଳର ଏକ ଦୋକାନରୁ ଟାଟା କମ୍ପାନୀର ଟାଟା କପର ନାମକ ଏକ ପାଣି ବୋତଳ କିଣିଥିବା ଜଣେ ଗ୍ରାହକ ବୋତଲ ମଧ୍ୟରେ ପୋକ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଏ ନେଇ ସେ ପାଣି ବୋତଲ ବିକ୍ରୟ କରୁଥିବା ଦୋକାନୀକୁ ଦେଖାଇ ଏ ସମ୍ପର୍କରେ ଜଣାଇଥିଲେ। ପରେ ଏହି ଘଟଣା ସମ୍ପର୍କରେ ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା।

ଏଠାରେ ପ୍ରଶ୍ନ ଉଠୁଛି ଯେ ନିୟମିତ ବ୍ୟବଧାନରେ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ସହିତ ଥିବା ଦଳ ଯାଞ୍ଚ ଓ ଅନୁଧ୍ୟାନ କରୁଛନ୍ତି। ଏହା ସତ୍ତ୍ୱେ ସୁଦ୍ଧା ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରୁ ଅପମିଶ୍ରିତ ଖାଦ୍ୟ ଓ ଅପମିଶ୍ରିତ ପାନୀୟ ଜଳ ବୋତଲ ମିଳୁଛି କିପରି? ସେହିଭଳି ନାମି ଦାମୀ ବ୍ରାଣ୍ଡ୍ ପକ୍ଷରୁ ବିକ୍ରୟ ହେଉଥିବା ପାନୀୟ ଜଳ ବୋତଲ ବିଶୁଦ୍ଧ ବୋଲି ଭାବି କିଣୁଥିବା ଗ୍ରାହକ କେତେ ବିଶୁଦ୍ଧ ପାଣି ପାଉଛି, ତାହା ଦେଖିବ କିଏ ଓ ଯାଞ୍ଚ କରିବ କିଏ? ଏ ନେଇ ଗ୍ରାହକମାନେ ପ୍ରଶ୍ନ ଉଠାଇବା ସହ ପ୍ରଚଳିତ ସରକାରୀ ନିୟନ୍ତ୍ରଣ ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଆମେ ବିସଲେରି ନାମକ ଅନ୍ୟ ଏକ ନାମୀ ଦାମୀ ବ୍ରାଣ୍ଡ୍ର ପାନୀୟ ଜଳ ବୋତଲରୁ ମଧ୍ୟ ବିଭିନ୍ନ ଆବର୍ଜନା ରହିଥିବା ଦେଖିବାକୁ ମିଳିଥିଲା।