ଆସନ୍ତା ରଥଯାତ୍ରା ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ
1 min read
ଆସନ୍ତା ୨୦ ତାରିଖ ଦିନ ହେବାକୁ ଯାଉଛି ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା। ଏହି ଯାତ୍ରା ୧୦ ଦିନ ଧରି ଚାଲିବ। ଏଥିପାଇଁ ରାଉରକେଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାନପୋଷ ଆଇଟିଡିଏ ସଭା କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଉରକେଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ବୈଠକରେ ମୁଖ୍ୟତଃ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ଓ ଏହି ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନିମନ୍ତେ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ମନ୍ଦିର ପରିଚାଳନା ସମିତିର ପ୍ରତିନିଧିମାନେ ରଥଯାତ୍ରା ସମ୍ପର୍କୀତ ବିଭିନ୍ନ ସମସ୍ୟା ଓ ଏହାର ସାମ୍ଭାବ୍ୟ ସମାଧାନ ସହିତ ରଥଗୁଡ଼ିକ ଯିବାକୁ ଥିବା ରାସ୍ତା ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ବୈଠକରେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଂଗ୍ରାମ କେଶରୀ ଭୋଇ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।