ସ୍ମାର୍ଟ ସିଟିରେ ଖୋଲିଲା ଗାଁ ଆମ୍ବ ପସରାର ବଜାର

1 min read
Spread the love

ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ ସ୍ଥାନୀୟ ଆମବାଗାନ ନିକଟରେ  ଖୋଲିଛି ‘ଗାଁ ଆମ୍ବ ପସରା’।  ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ଏହି ବଜାରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁନ୍ତି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କରି ଉଦ୍‌ଘାଟନ କରିଛନ୍ତି। ଏଥିରେ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲାପାଳ ଡାକ୍ତର ପରାଗ ବର୍ଷ ଗାଭାଲି, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଡିଏଫଓ ଯଶୋବନ୍ତ ସେଠୀ  ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ  ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି  କହିଛନ୍ତି ଯେ ରାଉରକେଲା ସହରରେ ରହୁଥିବା ଲୋକଙ୍କୁ ଉଚିତ ଦାମରେ ଭଲ ଆମ୍ବ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ମିଶନ ଶକ୍ତିର ମା’ମାନେ ଏଥିରେ ଯୋଡ଼ି ହୋଇଥିବାରୁ ସେମାନଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

‘ଗାଁ ଆମ୍ବ ପସରା’ ରେ ମୋଟ ୧୩ ଟି ଷ୍ଟଲରେ ମିଳୁଥିବା ଆମ୍ବ ସୁନ୍ଦରଗଡ ଜିଲ୍ଲା ସମେତ  କେନ୍ଦୁଝର, ରାୟଗଡ଼ା ଓ ଗଞ୍ଜାମ ଆଦି ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଛି। ଏହି ଷ୍ଟଲରେ ଗ୍ରାମାଞ୍ଚଳରୁ ଅମଳ ହୋଇଥିବା ଭଳିକି ଭଳି ଆମ୍ବ ରହିଛି। ଲେଙ୍ଗଡା, ସୁନ୍ଦରୀ, ମଲ୍ଲିକା, ବାଇଗଣ ପଲେଇ, ଦସେରୀ ତଥା ହୀମସାଗର ,  ଆମ୍ରପାଲି, ବାଇଗଣଫଲି  ଭଳି ଆମ୍ବ ଆଦି ବଜାରରେ ଉପଲବ୍ଧ ରହିଛି। ଏହା ସହିତ ଏହି ଷ୍ଟଲ୍‌ଗୁଡ଼ିକରେ ଅନ୍ୟାନ୍ୟ ସୁସ୍ୱାଦୁ ଫଳ ମଧ୍ୟ ଉପଲବ୍ଧ ରହିଛି। ଏହା ବ୍ୟତୀତ ଗୋଟିଏ ଷ୍ଟଲ୍ ରେ ପ୍ରସ୍ତୁତ ସଦ୍ୟ ଫଳ ରସ ମଧ୍ୟ ଉପଲବ୍ଧ ରହି ଥିବା ବେଳେ ଆମ୍ବ ଆଚାର ମଧ୍ୟ ଉପଲବ୍ଧ ରହିଛି। ୧୫ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ।  ଏହା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟା ସମୟରେ ଷ୍ଟଲ୍‌ ବନ୍ଦ ରହୁଥିବାରୁ ଗ୍ରାହକମାନେ ଏହି ବଜାରରୁ ବେଶୀ ସୁବିଧା ପାଇବା ସମ୍ଭବ ହେବ ନାହିଁ ବୋଲି ଆଲୋଚନା ହେଉଛି, କାରଣ ପ୍ରବଳ ଖରା ଓ ତାତି ଯୋଗୁଁ ଦିନ ସମୟରେ ଅନେକ ସହରବାସୀ ବାହାରକୁ ବାହାରିବା ସମ୍ଭବ ହେଉନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!