ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଷ୍ଟେସନ ଅଞ୍ଚଳରେ ଯାଞ୍ଚ

1 min read
Spread the love

ଖାଦ୍ୟ ସୁରକ୍ଷା ଯାଞ୍ଚ ଦଲ ଓ ମହାନଗର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଆଲୋଚନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଜୁନ ୭ ତାରିଖରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୁପେ ପାଳନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ସହ ଖାଦ୍ୟ ସହିତ ଯୋଡ଼ି ହୋଇ ରହିଥିବା ରୋଗକୁ ଅଟକାଇବା ପାଇଁ ଖାଦ୍ୟ ପ୍ରଣାଳୀକୁ ବଦଳାଇବା । ଚଳିତ ବର୍ଷ ବୁଧବାର ଏହି ଦିବସ ପାଳନ ଉପଲକ୍ଷେ ରଉରକେଲା ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ୱାଗତିକା ବେହେରାଙ୍କ ନେତୃତ୍ୱରେ ଏକ ଦଳ ରେଳ ଷ୍ଟେସନ ଆଖପାଖରେ ଥିବା ବିଭିନ୍ନ ଖାଦ୍ୟ ବିକ୍ରେତାମାନଙ୍କ ଖାଦ୍ୟ ଯାଞ୍ଚ କରିଥିଲା। ସକାଳ ପ୍ରାୟ ୮ଟାରୁ ଆରମ୍ଭ ହୋଇଥିବା ଯାଞ୍ଚ ମାତ୍ର ୨୦ ରୁ ୨୫ ମିନିଟ ମଧ୍ୟରେ ସରିଯାଇଥିଲା। ଏହି ଯାଞ୍ଚ ସମୟରେ ରେଳ ଷ୍ଟେସନ ଅଞ୍ଚର ସ୍ୱଚ୍ଛତା ପାଇଁ ଦାୟିତ୍ୱ ଦିଆଯାଇଥିବା ମହାନଗର ନିଗମର ଜଣେ କର୍ମଚାରୀଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମୀମାନେ ଉପସ୍ଥିତ ଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ଏହି ଅବସରରେ ହାତ ଗଣତି ଖାଦ୍ୟ ଷ୍ଟଲ୍‌ ବୁଲି ତାଙ୍କର ଯାଞ୍ଚ ସାରି ଦେଇଥିବା ଦେଖିବାକୁ ମିଳିଥିଲା। ରାଉରକେଲା ସହରର ପ୍ରାୟ ସମସ୍ତେ ଅଳ୍ପ ବହୁତ ଜାଣନ୍ତି ଯେ ରେଳ ଷ୍ଟେସନ ଓ ଆଖପାଖରେ ରହିଥିବା ଛୋଟ ବଡ଼ ହୋଟେଲ ଓ ଜଳଖିଆ ଦୋକାନରେ ମିଳୁଥିବା ଖାଦ୍ୟ ସ୍ୱାସ୍ଥ୍ୟକର ନୁହେଁ। ଏକଥା ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଦଳଙ୍କୁ ଜଣା ଥିବ ନିଶ୍ଚୟ। କିନ୍ତୁ ଅଧିକାରୀ ଓ ତାଙ୍କ ଦଳ କେବଳ ଖାଦ୍ୟ ସୁରକ୍ଷା ଦିବସ ପାଳନ ଆଳରେ ଲୋକ ଦେଖାଣିଆ ଯାଞ୍ଚ ସାରି ସଦର୍ପେ ଅମର ଭବନ ସମ୍ମୁଖରେ ଥିବା ଏକ ଖାଦ୍ୟ ଷ୍ଟଲ୍‌ ସାମନାରେ ଫୋଟୋ ଉଠାଇ ନିଜର କାମ ସାରିଥିବା ଦେଖିବାକୁ ମିଳିଥିଲା। କାରଣ ଏହି ଯାଞ୍ଚ ସମୟରେ ଷ୍ଟେସନ ଆଖପାଖରେ ଥିବା ଅନେକ ଖାଦ୍ୟ ଷ୍ଟଲ୍‌ ଓ ହୋଟେଲ ଯାଞ୍ଚ ହୋଇ ନଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଏକାଧିକ ଷ୍ଟଲ୍‌ କୁ ଜାଣିଶୁଣି ଯାଞ୍ଚ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। ଏହି ଯାଞ୍ଚ ସମୟରେ କ୍ରସ୍‌ରୋଡ୍‌ ମଲ୍‌ ନିକଟରେ ଏକ ଚା’ଦୋକାନ ଚଳାଉଥିବା କଣେ ମହିଳା – ‘କାହାର ଡ୍ୟାସ୍‌ରେ କେତେ ଦମ୍‌ ଅଛି ଦେଖିବା ମୋ ଦୋକାନକୁ ଯାଞ୍ଚ କରିବାକୁ ଆସନ୍ତୁ’ ବୋଲି କହିବା ଶୁଣିବାକୁ ମିଳିଥିଲା। ପ୍ରକୃତରେ ସେହି ମହିଳାଙ୍କ ଷ୍ଟଲ୍‌ କିମ୍ବା ତାଙ୍କ ଆଖପାଖ ଷ୍ଟଲ୍‌ ଯାଞ୍ଚ କରିବାକୁ କେହି ଯାଇ ନଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ତାଙ୍କ ଦଳ କିପରି ଖାଦ୍ୟର ମାନ ଅନୁଧ୍ୟାନ ଓ ଯାଞ୍ଚ କରୁଛନ୍ତି ତାହା ସହଜେ ଅନୁମେୟ।  ଅନ୍ୟ ଏକ ଘଟଣା ହେଉଛି ଏହି ଦଳରେ ଥିବା ମହାନଗର ନିଗମର ଜଣେ ଅଧିକାରୀ ଜାଣିଶୁଣି ଖାଦ୍ୟ ସୁରକ୍ଷା ଅଧିକାରିଙ୍କୁ କିଛି ଖାଦ୍ୟ ଷ୍ଟଲ୍‌କୁ ନେଇ ନଥିଲେ। ଏହିସବୁ ଷ୍ଟଲ୍‌ରେ ବ୍ୟାପକ ଅପମିଶ୍ରଣ ଓ ଅଖାଦ୍ୟ ଥିବାର ଅଭିଯୋଗ ହେଉଥିଲେ ମଧ୍ୟ କେଉଁ କାରଣରୁ ସମ୍ପୃକ୍ତ ଅଧିକାରୀ ସେହିସବୁ ଷ୍ଟଲ୍‌କୁ ଖାଦ୍ୟ ସୁରକ୍ଷା ଯାଞ୍ଚ ଦଳକୁ ସେହିସବୁ ଷ୍ଟଲ୍‌କୁ ନେଇ ନଥିଲେ ତାହା ଅଲୋଚନାର ବିଷୟ। ଅନ୍ୟପଷରେ ଷ୍ଟେସନ ଅଞ୍ଚଳରେ ଥିବା ଏକାଧିକ ଖାଦ୍ୟ ଷ୍ଟଲ୍‌ ବେଆଇନ ଓ ଅନଧୁକୃତ ସ୍ଥାନରେ ବସି ବ୍ୟାପାର କରୁଥିଲେ ମଧ୍ୟ ଏ ନେଇ ମହାନଗର ନିଗମର ତଥାକଥିତ ଅଧିକାରୀମାନେ ନୀରବ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତ୍ୟେକ ବର୍ଷ ଏହି ଦିନ ପାଇଁ ଥିବ୍‌ ବା ଆଭିମୁଖ୍ୟ ରଖିଥାଏ। ଚଳିତ ବର୍ଷ ପାଇଁ ଥିମଟି ହେଉଛି ‘‘ ଖାଦ୍ୟ ଜୀବନ ବଞ୍ଚାଇଥାଏ’’ । ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଉଦ୍ଦେଶ୍ୟ ହେଉଛି ଖାଦ୍ୟ ସୁରକ୍ଷା , ମାନବ ସ୍ୱାସ୍ଥ୍ୟ ଅବସ୍ଥା , ଆର୍ଥିକ ସମୃଦ୍ଧି ,କୃଷି ,ବଜାର ମୂଲ୍ୟ ,ପର୍ଯ୍ୟଟନ ଏବଂ ବିକାଶରେ ଯୋଗ ଦାନ କରିବା ଏବଂ ଖାଦ୍ୟ ଜନିତ ସଂକଟକୁ ଅଟକାଇବା ଆଦି ପ୍ରସଙ୍ଗରେ  ଧ୍ୟାନ ଆକର୍ଷଣ କରିବା ଏବଂ ସେହି କାର୍ଯ୍ୟକୁ ଆଗକୁ ବଢାଇବାରେ ଅନୁପ୍ରାଣିତ କରିବା। ଏହି ଦିନର ମୁଖ୍ୟ ଲକ୍ଷ ହେଉଛି, ଲୋକଙ୍କ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଏବଂ ଏହାର ଅଲଗା ଅଲଗା ଲାଭକୁ ବୁଝିବା । ଏହି ଦିନ ଖାଦ୍ୟକୁ ନେଇ ସଚେତନତାକୁ ବୃଦ୍ଧି କରାଯାଏ ।  ଏହା ମଧ୍ୟରେ ଲୋକଙ୍କୁ ସୁରକ୍ଷିତ ଏବଂ ପୃଷ୍ଠିକର ଖାଦ୍ୟ ପଦାର୍ଥର ମହତ୍ତ୍ୱ ବୁଝାଯାଏ । ପ୍ରଥମ ଥର ପାଇଁ ଜୁନ ୭ କୁ ୨୦୧୯ ମସିହାରେ ଏହା ପାଳନ କରାଯାଇଥିଲା। ଏହାପରେ ପ୍ରତ୍ୟେକ ବର୍ଷ ଏହି ଦିନକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଇଆସୁଛି ।

Leave a Reply

Your email address will not be published. Required fields are marked *

error: Content is protected !!