ସ୍ମାର୍ଟ ସିଟି ରାଉରକେଲାରେ ସ୍ମାର୍ଟ ବ୍ୟବସ୍ଥାର ଚିତ୍ର: ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ସ୍ମାର୍ଟ ପଦଷେପକୁ ନେଇ ଚର୍ଚ୍ଚା

1 min read
Spread the love

୨୦୧୭ ମସିହାରୁ ରାଉରକେଲା ସହରକୁ ସ୍ମାର୍ଟ ସିଟିଭାବେ ଘୋଷଣା କରାଯାଇଛି। ଏହାପରଠାରୁ ସହରବାସୀ ଭାବିଥିଲେ ସହରର ବିଭିନ୍ନ କାର୍ଯ୍ୟ ଓ ବ୍ୟବସ୍ଥା ସ୍ମାର୍ଟ ହୋଇଯିବ। ଗତ କିଛିବର୍ଷ ଧରି ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ରାଉରକେଲା ସ୍ମାର୍ଟ ସିଟି ଅଞ୍ଚଳର ବିଭିନ୍ନ ସ୍ଥାନରେ କୁଢ଼ କୁଢ ଆବର୍ଜନା ସହିତ ସହରର ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ଇଟା, ବାଲି, ଗୋଡ଼ି ଆଦି ପଡ଼ି ରହିବା ନିତି ଦିନିଆ ଘଟଣା ହୋଇ ସାରିଛି। ବିଶ୍ରା ଛକଠାରୁ ମଧୁସୂଦନ ଛକ, ଡେଲି ମାର୍କେଟ ଓ ଉଦିତ ନଗର ଅଞ୍ଚଳ ଆଦି ମୁଖ୍ୟରାସ୍ତାରେ ସବୁ ସମୟରେ ଯାତାୟତ ହେଉଥିବାରୁ ଏହି ରାସ୍ତାକୁ କୌଣସି ପ୍ରକାରର ଅବରୋଧ କରିବା ବେଆଇନ ବୋଲି ମହାନଗର ନିଗମ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଛି।

ଯଦି କେହି ଏହିଭଳି ବେଆଇନ କାର୍ଯ୍ୟ କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାରମ୍ବାର ସୂଚନା ଦିଆଯାଉଛି। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଥିବା ଦେଖିବାକୁ ମିଳିଛି। ପ୍ରାୟ ପ୍ରତି ସପ୍ତାହରେ ବିଶ୍ରା ଛକରୁ ଉଦିତ ନଗର ଏବଂ ସେଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର କେଉଁଠି ନା କେଉଁଠି ଜମା ହୋଇ ରହୁଛି ବାଲି, ଇଟା, ଗିଡ଼ି ଆଦି ସାମଗ୍ରୀ। ଏ ନେଇ କୌଣସି ନୀତି ନିୟମ ପାଳନ ହେଉଥିବା ଜଣାପଡ଼ୁନାହିଁ। ଏଭଳି ସ୍ଥିତିରେ ମୁଖ୍ୟ ରାସ୍ତା ଗହଳି ରହିବା ସହିତ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଛି। ଏହାକୁ ଦେଖି ସହରବାସୀ ‘ଏହା ସ୍ମାର୍ଟ ସିଟିର ସ୍ମାର୍ଟ ବ୍ୟବସ୍ଥା’ ବୋଲି କହିବା ଆରମ୍ଭ କରିଛନ୍ତି।  ଅନ୍ୟପକ୍ଷରେ ଏହିସବୁ ବେଆଇନ କାର୍ଯ୍ୟକୁ ଦେଖି ଆବଶ୍ୟକ ପଦକ୍ଷେପ ନେବାକୁ ରହିଥିବା ମହାନଗର ନିଗମର ବିଭାଗ ବୋଧ ହୁଏ ବନ୍ଦ ହୋଯାଇଛି ବୋଲି ସହରବାସୀ କହିବା ଆରମ୍ଭ କଲେଣି।

Leave a Reply

Your email address will not be published. Required fields are marked *

error: Content is protected !!