ଅଧିକ ସମୟ ଧରି ବନ୍ଦ ରହୁଥିବା ମାଲଗୋଦାମ ରେଳ ଫାଟକକୁ ନେଇ ଜନ ଅସନ୍ତୋଷ
1 min read
ରାଉରକେଲା ସହରର ମାଲଗୋଦାମଠାରେ ଥିବା ରେଳ ଫାଟକ ଅଧିକ ସମୟ ଧରି ବନ୍ଦ ରହୁଥିବାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଫାଟକ ବନ୍ଦ ଥିବାରୁ ବିଭିନ୍ନ ବର୍ଗର ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଟକ ନିକଟରେ ଠିଆହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ରେଳବାଇ ନିୟମ ଅନୁସାରେ ଫାଟକ ବନ୍ଦ ଥିବା ସମୟରେ ଫାଟକ ମଧ୍ୟରେ ଯାତାୟତ କରିବା ବେଆଇନ ହୋଇଥିଲେ ମଧ୍ୟ ଫାଟକ ଭିତର ଦେଇ ଯିବାଆସିବା ହେଉଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ଅନେକ ସମୟ ଧରି ରେଳ ଫାଟକ ବନ୍ଦ ରହିବା ଅନ୍ୟପଟେ ଅନ୍ୟ କିଛି ବ୍ୟବସ୍ଥା ନପାଇ ଲୋକେ ବନ୍ଦ ଥିବା ଫାଟକ ମଧ୍ୟ ଦେଇ ଯାତାୟତ କରିବାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ଏ ସମ୍ପର୍କରେ ଆମେ କରିଥିବା ଅନୁଧ୍ୟାନ ଅନୁଯାୟୀ ଯଦିଓ ଏହି ଫାଟକକୁ ବନ୍ଦ ଓ ଖୋଲିବା ନିମନ୍ତେ ଜଣେ ବ୍ୟକ୍ତି ନିୟୋଜିତ ଅଛନ୍ତି, କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅନୁଯାୟୀ ଫାଟକ ବନ୍ଦ ହେବା ଓ ଖୋଲିବା କାର୍ଯ୍ୟ ହୋଇଥାଏ ବୋଲି ଜଣାପଡ଼ିଛି। କାରଣ ଏହି ଫାଟକକୁ ଖୋଲିବା ଓ ବନ୍ଦ କରିବାର ତାଲା ବା ବ୍ୟବସ୍ଥା ଅନ୍ୟତ୍ର ପରିଚାଳିତ ହୋଇଥାଏ।

ଏଠାରେ ପ୍ରଶ୍ନଉଠିବା ସ୍ବାଭାବିକ ଫାଟକ ରହିବା ସ୍ଥାନରୁ ଫାଟକ ବନ୍ଦ ଓ ଖୋଲା ବ୍ୟବସ୍ଥା ନହୋଇ ଅନ୍ୟତ୍ର କାହା ସ୍ବାର୍ଥରେ ହେଉଛି। ସେହିଭଳି ଯଦି ରେଳବାଇ ପକ୍ଷରୁ ଫାଟକ ବନ୍ଦ ସମୟରେ ଏହା ମଧ୍ୟ ଦେଇ ଯାତାୟତ କରିବା ବେଆଇନ ତେବେ ନିୟମ ଅମାନ୍ୟକୁ ରୋକିବା ପାଇଁ ରେଳ ସୁରକ୍ଷା ବଳ ନିୟୋଜିତ ନ ହେବାର କାରଣ କ’ଣ। ଏଭଳି ସ୍ଥିତିରେ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷ ସହରର ଗୁରୁତ୍ବପୂର୍ଣ୍ଣ ମାଲଗୋଦାମ ରେଳ ଫାଟକ ର ସମସ୍ୟା ସମ୍ପର୍କରେ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି।