ସୁନାଫୁଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ପ୍ଲାଷ୍ଟିକମୁକ୍ତ ବିଶ୍ୱ ପରିବେଶ ପାଇଁ ବଡ ଆହ୍ୱାନ
1 min read
ପ୍ଲାଷ୍ଟିକର ବହୁଳ ବ୍ୟବହାର ସମଗ୍ର ବିଶ୍ୱ ପାଇଁ ବଡ ବିପଦ , ଏହାର ବ୍ୟବହାରକୁ ହ୍ରାସ ବା ରୋକା ନଗଲେ ସମଗ୍ର ମାନବଜାତି ଭୟାବହ ସମସ୍ୟାରେ ପଡିବ ବୋଲି ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ପଚାଶତମ ବିଶ୍ୱ ପରିବେଶ ଦିବସ ପାଳନ ପରିପ୍ରେକ୍ଷୀରେ ବକ୍ତାମାନେ ମତ ପୋଷଣ କରିଛନ୍ତି। ସଂସଦ ପକ୍ଷରୁ ଲୋକସଂପର୍କ ଓ ସରକାରୀ ସୂଚନା ଅଧିକାରୀ ମହେନ୍ଦ୍ର ମିଶ୍ରଙ୍କ ଆବାହକତ୍ୱ ଓ ସଂଯୋଜନାରେ ଏବଂ ଉପସଭାପତି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ୱରେ ସେକ୍ଟର -୧୮ ସ୍ଥିତ ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ‘ବିଶ୍ୱ ତାପାୟନ ଓ ଆମ ପରିବେଶ’ ଶୀର୍ଷକ ଆଲୋଚନାରେ ରେ ମୁଖ୍ୟ ଅତିଥି ତଥା ଶିକ୍ଷାବିତ ଏବଂ ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ ଯୋଗଦେଇ ସମଗ୍ର ବିଶ୍ୱ ଆଜି ଭୟଙ୍କର ତାପମାତ୍ରା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡିତ ବୋଲି କହିଥିଲେ। ତେଣୁ ପ୍ରକୃତି ସହ ଆମକୁ ବନ୍ଧୁ ବାନ୍ଧିବାକୁ ପଡିବ, ନଚେତ ପରିବେଶ ଦିନକୁ ଦିନ ଆମ ପାଇଁ ଉଗ୍ର ହୋଇ ଚାଲିବ ବୋଲି ଶ୍ରୀ ସାହାଣି କହିଥିଲେ। ମୁଖ୍ୟବକ୍ତାଭାବେ ସାହିତ୍ୟିକ ତଥା ସଙ୍ଗଠକ ରେବତୀ ବଲ୍ଲଭ ବେହେରା ପ୍ଲାଷ୍ଟିକ ମୁକ୍ତ ବିଶ୍ୱ ପରିବେଶ ସୁରକ୍ଷା ପାଇଁ ଏକ ବଡ ଆହ୍ୱାନ , ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ବିଶ୍ୱ ପରିବେଶ ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦର କାଯ୍ର୍ୟକାରୀ ସଭାପତି ଶଶଧର ପଣ୍ଡା ସୁନାଫୁଲ ସାହିତ୍ୟ ସଂସଦ ପରିବେଶ ପ୍ରତି ସଦା ସଚେତନ ରହିବା ସହ ପ୍ରତିବର୍ଷ ବ୍ଣୃକ୍ଷରୋପଣ ଭଳି କାଯ୍ର୍ୟକ୍ରମ କରି ଆସୁଛି ବୋଲି କହିଥିଲେ। ଆସନ୍ତା ଜୁଲାଇ ମାସରେ ପୂର୍ବ ବର୍ଷପରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବାକୁ କ୍ଷେତ୍ର ପ୍ରସ୍ତୁତ କରିସାରିଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ସଂସଦର ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ନିଜର ସମ୍ପାଦକୀୟ ଭାଷଣରେ ସୁନାଫୁଲର ବିବିଧ କାଯ୍ର୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ , ସୁନାଫୁଲ ସାହିତ୍ୟ ସଂସଦ ବିଶେଷତଃ ଛାତ୍ରଛାତ୍ରୀମାନଙ୍କ ନିକଟରେ ଏହି ଦିବସ ପାଳନ କରିଥାଏ। ସଚେତନତା ଓ ସ୍ୱଛତା ହିଁ ଆମ ଅନୁଷ୍ଠାନର ମୁଖ୍ୟ ବାର୍ତ୍ତା। ସଭାରେ ସଭାପତିତ୍ୱ କରୁଥିବା ସନ୍ତୋଷ ଜେନା ନିଜର ସ୍ୱାଗତ ଭାଷଣ ମାଧ୍ୟମରେ ଶିଳ୍ପ ବିପ୍ଳବ ସମୟରୁ ବିଶ୍ୱ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି ବୋଲି କହିଥିଲେ। ଅତ୍ୟଧିକ ଇନ୍ଧନ ବ୍ୟବହାର , ବୃକ୍ଷ ଛେଦନ , ସବୁଜଘର ଗ୍ୟାସ ପ୍ରଭାବ , ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ୱ ତାପାୟନ ବୃଦ୍ଧି ହେଉଛି। ଏହି କାରଣରୁ ସମୁଦ୍ରଜଳ ପତନ ବୃଦ୍ଧି , ମରୁଡି , ସାମୁଦ୍ରିକ ଝଡ , ନୂତନ କୀଟ ପତଙ୍ଗ ଜନ୍ମ , ଆଲର୍ଜି , ଆଜମା ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ଜେନା କହିଥିଲେ। କପାଟମୁଣ୍ଡା କ୍ଲଷ୍ଟର ସି ଆର ସି ସି ତଥା ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ତ୍ରିପାଠୀ , ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢୀ ପ୍ରମୁଖ ଏହି ଅବସରରେ ସୁଚିନ୍ତିତ ମତାମତ ଦେଇ ଆଲୋଚନା କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷାକୁ ନେଇ କବିତା ପାଠ କରାଯାଇଥିଲା। ପ୍ରାରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାଲେଶ୍ୱର ବାହାନଗା କରମଣ୍ଡଳ ଏକ୍ସପ୍ରେସ ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସଦଗତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାଯ୍ର୍ୟକ୍ରମରେ ସୁନାଫୁଲ ସଂସଦର ସଭ୍ୟ ତ୍ରିଲୋଚନ ପାଢୀ , ମନୋରଞ୍ଜନ ମହାନ୍ତି , ଅଶୋକ କୁମାର ପାତ୍ର , ତାପସ ପରିଡା , ହୃଶିକେଷ ମୁଦୁଲି , ରଜତ ସାମଲ , ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ , ଗୀତାରାଣୀ ବିଶ୍ୱାଳ, ସ୍ୱର୍ଣ୍ଣଲତା ସ୍ୱାଇଁ , ସ୍ମିତା ହରପାଲ , ମିଲି ହରପାଲ , ସିମ୍ପନ ଜ୍ୟୋତି ରାଉତ , ଶ୍ରୁତି ସୁନା , ଅରବିନ୍ଦ ମିଞ , ଅର୍ପିତା ବାଗୁଲିଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଟିକି ଟିକି ସୁନାଫୁଲ ପତ୍ରିକା ବଣ୍ଟନ କରାଯାଇଥିଲା। ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଦିଗ୍ଦର୍ଶନ ଓ ଯୁଗ୍ମ ସମ୍ପାଦକ ମହେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ଏହି କାଯ୍ର୍ୟକ୍ରମରେ କାଯ୍ର୍ୟକାରୀ ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।