ରାଉରକେଲା ସହରର ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ପାଳନ

1 min read
Spread the love

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ। ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦ ମନ୍ତ୍ର ଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି୤ ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ପାଳନ ଅନ୍ତର୍ଗତ ଏକ ପୂଜା ବିଧି୤ ଏହି କ୍ରମରେ ରବିବାର ରାଉରକେଲା ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ପାଳିତ ହୋଇଛି ସ୍ନାନଯାତ୍ରା।

ସହରର ଅନ୍ୟତମ ପ୍ରଶିଦ୍ଧ ତଥା ପୂରାତନ ସେକ୍ତର-୩ ଅହିରାବନ୍ଧ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂର୍ବ ଘୋଷଣା ମୁତାବକ ଆବଶ୍ୟକ ପୂଜାର୍ଚ୍ଚନା କରାଯାଇ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯାଇଥିଲା। ଏହାପରେ ଆବଶ୍ୟକ ରୀତିନୀତି ଅନୁଯାୟୀ ଠାକୁରମାନଙ୍କର ପୁଜାର୍ଚ୍ଚନା ହୋଇଥିଲା। ମନ୍ଦିରର ମୁଖ୍ୟ ପୂଜକ ତ୍ରିନାଥ ପାଢ଼ୀଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟରେ ଅନ୍ୟ ପୂଜକମାନେ ସହଯୋଗ କରିଥିଲେ। ସେହିଭଳି ଶ୍ରୀକ୍ଷେତ୍ର ଢାଞ୍ଚାରେ ଏଠାରେ ହୋଇଥିବା ପହଣ୍ଡି, ଛେରା ପହଁରା ଆଦି କାର୍ଯ୍ୟ ମନ୍ଦିର ପରିଚାଳନା ସମିତିର ମୁଖ୍ୟ ଟ୍ରଷ୍ଟି ଗିରିଜା ଶଙ୍କର ଦ୍ବିବେଦୀଙ୍କ ନେତୃତ୍ବରେ ସଞ୍ଚାଳିତ ହୋଇଥିଲା। ଏହି ଅବସରରେ ଠାକୁରାମାନଙ୍କୁ ପୂର୍ଣ୍ଣ କୁମ୍ଭରେ ପବିତ୍ର ଜଳ ମାଧ୍ୟମରେ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଛେରା ପହଁରା ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇଥିଲା। ଶେଷରେ ଠାକୁରମାନଙ୍କର ଗଜାନନ ବେଶ ହୋଇଥିଲା। ଏହାପରେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନଙ୍କୁ ଅଣସର ଘରେ ରଖାଯାଇଥିଲା। ଅଣସର ଘରେ ଠାକୁରମାନଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ବ୍ୟବସ୍ଥା ନାହିଁ। ଏହି ସମସ୍ତ କାର୍ଯ୍ୟରେ ମନ୍ଦିରର ବିଭିନ୍ନ ସେବକମାନଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ଭକ୍ତିର ସହିତ ଯୋଗଦେଇଥିଲେ।

ଉଦିତ ନଗର ସ୍ଥିତ ପଞ୍ଚଦେବ କଲ୍‌ଚରାଲ ଟ୍ରଷ୍ଟ ପକ୍ଷରୁ ସ୍ନାଣ ଯାତ୍ରା ଉପଲକ୍ଷେ ଆବଶ୍ୟକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ଟ୍ରଷ୍ଟ୍‌ର ମୁଖ୍ୟ ଟ୍ରଷ୍ଟି ଦିଲ୍ଲୀପ କରଙ୍କ ନେତୃତ୍ବରେ ସେବକ ଓ ପୂଜକମାନେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ଆଖାପଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସନ୍ଧ୍ୟାରେ ଶ୍ରୀଜିଉମାନଙ୍କର ଗଜାନନ ବେଶ ହୋଇଥିଲା।

ସେହିଭଳି ହନୁମାନ ବାଟିକା ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ମନ୍ଦିର ପରିଚାଳନା ସମିତିର ବରିଷ୍ଠ କର୍ମକର୍ତ୍ତା ସୁବ୍ରତ ପଟ୍ଟନାୟକଙ୍କ ନେତୃତ୍ବରେ ପୂଜାର୍ଚ୍ଚନା ସ୍ନାନଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସହରର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!