ରାଉରକେଲା ଇସ୍ପାତ କାରଖାନା: ପ୍ରକୃତି ସହ ସୁସମନ୍ଵୟରେ ଇସ୍ପାତ ନିର୍ମାଣ

1 min read
Spread the love

ଜୁନ୍ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ସାରା ବିଶ୍ୱ ଏକତ୍ରିତ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନା-ଆରଏସପି ନିରବଚ୍ଛିନ୍ନ ଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ପୂର୍ବକ ସ୍ଥାୟୀ ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନରେ ବ୍ରତୀ ହେବା ଏବଂ ପରିବେଶ ପରିଚାଳନା ଦାୟିତ୍ଵ ସଠିକ ନିର୍ବାହ ପାଇଁ ପ୍ରତିବଦ୍ଧତାକୁ ଦୋହରାଉଛି। ପରିବେଶ ଦାୟିତ୍ଵ ପାଇଁ ଆରଏସପିର ଉତ୍ସର୍ଗୀକୃତତା ଏହାର ଶକ୍ତିଶାଳୀ ଉତ୍ପାଦନ କ୍ଷମତାର ସମତାଳରେ ଗତିକରୁଛି। ଇସ୍ପାତ କାରଖାନା ଏହାର ପରିବେଶ ଫୁଟପ୍ରିଣ୍ଟକୁ କମ୍ କରିବା, ପ୍ରଦୂଷଣ ହ୍ରାସ କରିବା ଏବଂ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ସଂରକ୍ଷଣ କରିବା ପାଇଁ ଅନେକ ଅଭିନବ ପଦକ୍ଷେପ ସଫଳତାର ସହ କାର୍ଯ୍ୟକାରୀ କରିଛି। ଏହି ପଦକ୍ଷେପଗୁଡ଼ିକ ନା କେବଳ ସବୁଜ ଭବିଷ୍ୟତ ସୁନିଶ୍ଚିତ କରିବାରେ ସହାୟକ ହେଉଛି ବରଂ ପରିବେଶ ଅନୁପାଳନର ସର୍ବୋଚ୍ଚ ମାନକୁ ମଧ୍ୟ ସୁନିଶ୍ଚିତ କରୁଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ଇଲେକ୍ଟ୍ରୋ ଷ୍ଟାଟିକ୍ ପ୍ରେସିପିଟେଟର, ବ୍ୟାଗ୍ ହାଉସ୍, ମଲ୍ଟି ସାଇକ୍ଲୋନ୍, ଧୂଳି ଦମନ ପ୍ରଣାଳୀ ଏବଂ ୱେଟ ସ୍କ୍ରବର୍ ଭଳି ବିବିଧ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି । ଆରଏସପି ଜିରୋ ଡିସଚାର୍ଜ ପ୍ଲାଣ୍ଟରେ ରୂପାନ୍ତରିତ ହେବା ପାଇଁ ଦୃତ ଅଗ୍ରସର ହୋଇ ଟ୍ରିଟମେଣ୍ଟ ସିଷ୍ଟମ-୧ର ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।

ସମଗ୍ର ସେଲ ଅନ୍ତର୍ଗତପ୍ରଥମ ୟୁନିଟ ରୂପେ ଆରଏସପିରେ କାର୍ଯ୍ୟକାରୀ ହେଉଥିବା ଟ୍ରିଟମେଣ୍ଟ ସିଷ୍ଟମ-୧ ଅନନ୍ୟ ପଦକ୍ଷେପ ୧୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଧାର୍ଯ୍ୟ ହୋଇଛି। ଅତ୍ୟାଧୁନିକ ବାର୍ଷିକ ୩ ନିୟୁତ ଟନ କ୍ଷମତା ସମ୍ପନ୍ନ ନୂତନ ହଟ୍ ଷ୍ଟ୍ରିପ୍ ମିଲ୍-୨ ମଧ୍ୟ ଶୂନ୍ୟ ବର୍ଜ୍ୟଜଳ ତତ୍ତ୍ଵ ଉପରେ ଆଧାରିତ ହୋଇ ନିର୍ମିତ ହୋଇଛି। ୨୦୨୨ ଅକ୍ଟୋବର ମାସରେ ଆରଏସପିର ବିଭିନ୍ନ ୟୁନିଟର ସ୍ଵେରେଜ ଜଳ ବିଶୋଧନ ଏବଂ ଆଉଟଫଲ-୭ ମାଧ୍ୟମରେ ଡିସଚାର୍ଜ କରିବା ପାଇଁ ଏକ ଅତ୍ୟାଧୁନିକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ବିଶୋଧିତ ସ୍ୱେରେଜ୍ ନିଷ୍କାସନ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଧାର୍ଯ୍ୟ ହୋଇଥିବା ସର୍ବଶେଷ ନିୟମକୁ ପୂରଣ କରିବା ପାଇଁ ଏହା ନିର୍ମାଣ କରାଯାଇଛି। କୋଲ କେମିକଲ ବିଭାଗରେ ଦୈନିକ ୪ ନିୟୁତ ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ଏକ ବର୍ଜ୍ୟ ଜଳ ବିଶୋଧନ ପ୍ଳାଣ୍ଟ ସ୍ଥାପନା ଏହାର ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରକଳ୍ପ ୩୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି।

କ୍ରମାଗତ ଉନ୍ନତି ସାଧନ ପାଇଁ ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭିନ୍ନ ପରିବେଶ ପରିମାପକତାଗୁଡିକର ନିୟମିତ ନିରୀକ୍ଷଣ, ନମୁନା ସଂଗ୍ରହ ଏବଂ ବିଶ୍ଳେଷଣ ମଧ୍ୟ କରାଯାଉଛି। ମନିଟରିଂ ଷ୍ଟେସନଗୁଡିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭରଗୁଡ଼ିକ ସହିତ ସଂଯୋଗ କରାଯାଇଛି । ଫଳାଫଳଗୁଡିକ ନିୟମିତ ବିଶ୍ଳେଷଣ କରାଯାଉଛି ଏବଂ ପରିବେଶ ପ୍ରଦୂଷଣକୁ କମ୍ କରିବାକୁ ପ୍ରତିଷେଧକ ପଦକ୍ଷେପ ନିଆଯାଉଛି ।

ସବୁଜ ଜ୍ଞାନକୌଶଳ ଏବଂ ଶକ୍ତି ନିପୁଣ ପ୍ରକ୍ରିୟାଗୁଡିକର ଗ୍ରହଣ ପୂର୍ବକ କାର୍ବନ ନିର୍ଗମନରେ ଉଲ୍ଲେଖନୀୟ ହ୍ରାସ ଆରଏସପିର ସଫଳ ପରିବେଶ ପରିଚାଳନାର ଫଳାଫଳ ଅଟେ। ଶକ୍ତି ବ୍ୟବହାରକୁ ସର୍ବଶ୍ରେଷ୍ଠ କରିବା ପାଇଁ କାରଖାନା ଅତ୍ୟାଧୁନିକ ପ୍ରଣାଳୀ ପ୍ରୟୋଗ କରୁଛି ଯାହାର ଫଳସ୍ୱରୂପ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ଯଥେଷ୍ଟ ହ୍ରାସ ଘଟିଛି।

ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଠାରୁ ସମନ୍ଵିତ ଇସ୍ପାତ କାରଖାନା ବର୍ଗରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ଅନ୍ତର୍ଗତ ପ୍ରଥମ ପୁରସ୍କାର ଗ୍ରହଣ ଆରଏସପିର ଆପେକ୍ଷିକ ଶକ୍ତି ଉପଯୋଗ ହ୍ରାସ କରିବା ଏବଂ ତଦ୍ୱାରା ଅଙ୍ଗାରକାମ୍ଳ ପଦଚିହ୍ନ ହ୍ରାସ କରିବା ପାଇଁ ପ୍ରୟାସର ଏକ ପ୍ରତିଫଳନ ଅଟେ।

ଏଥିସମେତ ଆରଏସପି ବ୍ୟାପକ ବୃକ୍ଷରୋପଣ ଜାରିରଖିଛି । ଏପର୍ଯ୍ୟନ୍ତ ଏହାର ପରିସର ତଥା ଏହାର ଆଖପାଖରେ ଆରଏସପି ୫୨ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରିଛି, ଯାହା ଦ୍ଵାରା ଜୈବ ବିବିଧତା ପରିପୃଷ୍ଟ ହେବା ସହ ବାୟୁ ଗୁଣବତ୍ତାରେ ମଧ୍ୟ ଉନ୍ନତି ସାଧିତ ହୋଇଛି। ରାଉରକେଲାର ଇସ୍ପାତ ସହରର ସ୍ଵଚ୍ଛ ସବୁଜ ବାତାବରଣ ଏହି ଧରା ପୃଥିବୀ ପ୍ରତି ଆରଏସପିର ପ୍ରତିବଦ୍ଧତାର ଏକ ଜ୍ଵଳନ୍ତ ଉଦାହରଣ ଅଟେ ।

Leave a Reply

Your email address will not be published. Required fields are marked *

error: Content is protected !!