ବାହାନଗା ରେଳ ଦୁର୍ଘଟଣା ସ୍ଥଳ ବୁଲିଲେ ପ୍ରଧାନମନ୍ତ୍ରୀ : ସ୍ଥିତିର ସମୀକ୍ଷା କଲେ

1 min read
Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ନରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ ଦୁର୍ଘଟଣାଗ୍ରସ୍ତ ରେଳ ଲାଇନ ଓ ବଗି ନିକଟକୁ ଯାଇ ଘଟଣାସ୍ଥଳର ସ୍ଥିତି ଦେଖିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ‌ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍ଣ ପ୍ରାୟ ୩ଟା ୪୦ରେ ପହଞ୍ଚି ଥିଲେ। ସେଠାରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେହିପରି ମୋଦୀଙ୍କ ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ମେଡିକାଲକୁ ଯାଇ ଚିକିତ୍ସାଧିନ ଆହତ ବ୍ୟକ୍ତିଙ୍କୁ ପଚାରି ବୁଝିଥିଲେ। ଏହାପରେ ସେ ଗଣମାଧ୍ୟମକୁ ସୂଚନା ଦେଇ ଭାବବିହ୍ୱଳ ହେବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି ବୋଲି କହିଛନ୍ତି। ଏହି ଘଟଣାରେ ଯିଏ ବି ଦୋଷୀ ହୋଇଥିବ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀ ମୋଦି। ଏହା ସହିତ ଦୁର୍ଘଟଣା ସମୟରେ ସ୍ଥାନୀୟ ପ୍ରଶାସନ, ରେଳବାଇ, ରାଜ୍ୟ ସରକାର ଏବଂ ବିଶେଷ କରି ସ୍ଥାନୀୟ ଲୋକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *

error: Content is protected !!