ପ୍ରଶାନ୍ତ ସେଠୀଙ୍କ କଂଗ୍ରେସ ଦଳରୁ ଇସ୍ତଫା : କେଉଁ ଦଳକୁ ଯିବେ ନେଇ ଚର୍ଚ୍ଚା

1 min read
Spread the love

ରଘୁନାଥପାଲ୍ଲୀ ନିର୍ବାଚନ  ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ତଥା ଚର୍ଚ୍ଚିତ ନେତା ପ୍ରଶାନ୍ତ ସେଠୀ ଗୁରୁବାର କଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ରାଉରକେଲା ସହରର ସେକ୍ତର-୫ ସ୍ଥିତ ଏକ ସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସେଠୀ ଇସ୍ତଫା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଅନେକ ଦିନ ଧରି ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ ଥିବା ପ୍ରଶାନ୍ତ ସେଠୀ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛଡ଼ି କଂଗ୍ରେସ ଦଳରେ ଯୋଗଦେଇଥିଲେ। ଦଳ ପକ୍ଷରୁ ସେ ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ନିର୍ବାଚନରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହାପରେ ଗତ ପ୍ରାୟ ୪ବର୍ଷ ଧରି ସେ ବ୍ୟକ୍ତିଗତଭାବେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦେଇ ଲୋକଙ୍କ ନିକଟରେ ପରିଚିତ ରହିଆସିଛନ୍ତି। ଏହା ସହିତ ସେ ଜିଲ୍ଲା କଂଗ୍ରେସ ଓ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ପଦ ପଦବୀରେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଥିଲେ।

ଏହି କ୍ରମରେ ସମସ୍ତେ ଆଶା କରୁଥିଲେ ୨୦୨୪ ନିର୍ବାଚନରେ ସେ ଆଉଥରେ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ ହଠାତ୍‌ ଅପ୍ରତ୍ୟାଶିତଭାବେ ଗୁରୁବାର ଜୁନ ୧ ତାରିଖ ଦିନ ପ୍ରଶାନ୍ତ ନିଜର କିଛି ସମର୍ଥକଙ୍କ ସହିତ ଦଳରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସେ ଖୁବ୍‌ ଶୀଘ୍ର ବିଜୁ ଜନତା ଦଳରେ ଯୋଗଦେବେ ବୋଲି ଆଲୋଚନା ଆରମ୍ଭ ହୋଇଛି। ଏହା ସହିତ ବିଭିନ୍ନ କାରଣରୁ ବିବାଦରେ ରହିଥିବା ରଘୁନାଥପାଲ୍ଲୀର ବିଜୁ ଜନତା ଦଳର ବର୍ତ୍ତମାନର ବିଧାୟକ ସୁବ୍ରତ ତରାଇଙ୍କ ସ୍ଥାନରେ ସେ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ଅନେକ ବର୍ଷ ଧରି ବର୍ତ୍ତମାନର ମନ୍ତ୍ରୀ ତଥା ବିଧାୟକ ସାରଦା ନାୟକଙ୍କ ଏକାନ୍ତ ଅନୁଗତ ଥିବା ପ୍ରଶାନ୍ତ ନିକଟରେ ସାରଦା ମନ୍ତ୍ରୀ ହେବା ପରେ ଆଉଥରେ ବିଜେଡିରେ ଯୋଗଦେବେ ବୋଲି ଚାଲିଥିବା ଚର୍ଚ୍ଚା ସତରେ ପରିଣତ ହେବ ବୋଲି ଆଶା କରାଯାଉଛି।  

Leave a Reply

Your email address will not be published. Required fields are marked *

error: Content is protected !!