‘ଶିଳ୍ପ ସୁରକ୍ଷା’ ସନ୍ଦର୍ଭରେ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା ଆୟୋଜିତ

1 min read
Spread the love

‘ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଦୁର୍ଘଟଣାଜନିତ ବିପଦ’ ସନ୍ଦର୍ଭରେ ଏକ ଦିନିକିଆ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା ୨୦୨୩ ମଇ ୩୦ ତାରିଖରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ଓଡିଶା ରାଜ୍ୟ ସରକାରଙ୍କ ଫେକ୍ଟୋରି ଓ ବୟଲର ନିର୍ଦ୍ଦେଶାଳୟ,ଦ୍ଵାରା ରାଉରକେଲା ଇସ୍ପାତ କାରଖାନା ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭୟାରମେଣ୍ଟ ମେନେଜମେଣ୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ହୋଇଥିଲା। କର୍ମଶାଳାରେ ଓଡିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ଇଏସ୍ଆଇ କମିଶନର-କମ-ସଚିବ, ଆଇଏଏସ୍, ଆର ଏସ୍ ଗୋପାଳନ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଓଡିଶା ସରକାରଙ୍କ କାରଖାନା ଏବଂ ବଏଲର ନିର୍ଦ୍ଦେଶକ ଏବଂ ଶ୍ରମ କମିଶନର, ଆଇଏଏସ୍, ଡକ୍ଟର ଏନ ଥିରୁମାଲା ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ୤ ଆଭାଷୀ ମାଧ୍ୟମରେ ଉଭୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରେରେ ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ଓଡିଶା ସରକାରଙ୍କ ଶ୍ରମ ଏବଂ ଇଏସ୍ଆଇ ବିଭାଗର ଉପ ସଚିବ-ନୋଡାଲ ଅଫିସର, ଶ୍ରୀ ନିରଂଜନ ଜେନା, ଓଡିଶା ସରକାରଙ୍କ ରାଉରକେଲା ଡିଭିଜନ୍ କାରଖାନା ଏବଂ ବାଷ୍ପୀୟ ବିଭାଗର ଉପନିର୍ଦ୍ଦେଶକ, ବିଭୂ ପ୍ରସାଦ ଏବଂ ସହାୟକ ନିର୍ଦ୍ଦେଶକ, ଏମ କେ ମିଶ୍ର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭୟାରମେଣ୍ଟ ମେନେଜମେଣ୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ,ଦେବବ୍ରତ ପାଣିଗ୍ରାହୀ ଯୋଗ ଦେଇଥିଲେ।

ନିଜର ଉଦଘାଟନୀ ଅଭିଭାଷଣରେ ଆର ଏସ୍ ଗୋପାଳନ୍ ଶିଳ୍ପ ଉଦ୍ୟୋଗରେ ବିଶେଷତଃ ଲୌହ ଓ ଇସ୍ପାତ ଉଦ୍ୟୋଗରେ ତିଷ୍ଠିରହିବା ନିମନ୍ତେ ସୁରକ୍ଷାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଏମ.ଏସ.ଏମ.ଇ.ଗୁଡିକରେ ସୁରକ୍ଷାକୁ ସୁଦୃଢ କରିବା ନିମନ୍ତେ ପାରିପାର୍ଶ୍ଵିକ ବୃହତ ଶିଳ୍ପଗୁଡିକର ଭୂମିକା ଉପରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଡକ୍ଟର ଏନ ଥିରୁମାଲା ନାୟକ ନିଜର ସାରମର୍ମୀ ବକ୍ତବ୍ୟରେ ରାଜ୍ୟରେ ‘ଭିଜନ ଶୂନ୍ୟ’ ଲକ୍ଷ୍ୟ ହାସଲ ସମ୍ପର୍କରେ ଉଲ୍ଲେଖ କରିଥିଲେ ଯାହା ସମଗ୍ର ରାଜ୍ୟରେ ଉଦ୍ୟୋଗଗୁଡିକରେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁହାର ହାସଲ ଉପରେ ଆଧାରିତ ଅଟେ। ରାଉରକେଲା ଓ ଏହାର ଆଖପାଖର ଉଦ୍ୟୋଗଗୁଡିକର ପ୍ରତିନିଧିମାନେ ଅଂଶଗ୍ରହଣ କରୁଥିବା ଏହି ବୃହତ କର୍ମଶାଳାର ଆୟୋଜନ ନିମନ୍ତେ ସହଯୋଗ ଯୋଗାଇଦେଇଥିବା ଯୋଗୁଁ ସେ ଆରଏସପିକୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ଏକ ଭିଡିଓ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ, “ଦାୟିତ୍ଵବାନ ଶିଳ୍ପ ସଂସ୍ଥା ଭାବରେ ଆମ ସମସ୍ତଙ୍କୁ ଏହି ସତ୍ୟକୁ ସ୍ଵୀକାର କରିବାକୁ ହେବ ଯେ,ସୁରକ୍ଷା କେବଳ ପାଳନ କରିବା ପ୍ରସଙ୍ଗ ନୁହେଁ ବରଂ ଜୀବନ ଜୀଇଁବାର କଳା ଅଟେ। ଆମର ପ୍ରତ୍ୟେକ କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କୁ ସୁରକ୍ଷିତ ରଖିବା ଆମର ପରମ କର୍ତ୍ତବ୍ୟ। ” ସେ ଆହୁରି ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ଯେ, ଅଂଶଗ୍ରହଣକାରୀଙ୍କ ଦ୍ୱାରା ପ୍ରାପ୍ତ ମୂଲ୍ୟବାନ ଜ୍ଞାନ ଏବଂ ଦୃଷ୍ଟିକୋଣ ଆମ ସୁନ୍ଦରଗଡ ଜିଲ୍ଲାକୁ ଏକ ଦୁର୍ଘଟଣାମୁକ୍ତ ଶିଳ୍ପାଞ୍ଚଳ ଗଠନ କରିବାରେ ସହାୟକ ହେବ। ସୋମନାଥ ତ୍ରିପାଠୀ ଜୀବନର ପ୍ରତ୍ୟେକ ଦିଗରେ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ ମନୋଭାବ, ମାନସିକତା ଏବଂ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିରଞ୍ଜନ ଜେନା ନିଜର ଅଭିଭାଷଣରେ ଆରଏସପିକୁ ଭାରତରେ ସୁରକ୍ଷା ଅଭିଯାନର ପୁରୋଧା ରୂପେ ଅଭିହିତ କରିବା ସହିତ ସମସ୍ତ ଏମଏସଏମଇଙ୍କୁ ଏହି କାରଖାନାରେ କାର୍ଯ୍ୟ କରୁଥିବା ଅନୁରୂପ ସୁଦୃଢ ସୁରକ୍ଷା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ଅନୁପ୍ରେରିତ କରିଥିଲେ। ନିଜର ବକ୍ତବ୍ୟରେ ବିଭୁ ପ୍ରସାଦ ଦେଶରେ ଦୃତ ଶିଳ୍ପାୟନ ପରିପ୍ରେକ୍ଷୀରେ ଅଧିକ ସମ୍ଭାବ୍ୟ ଦୁର୍ଘଟଣା ଓ ହାଜାର୍ଡ଼ ଗୁଡିକୁ ଦୃଷ୍ଟିରେ ରଖି ସୁରକ୍ଷାର ଗୁରୁତ୍ଵ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଏକ ନିପୁଣ ସୁରକ୍ଷା ସଂସ୍କୃତିର ପ୍ରୋତ୍ସାହନ ନିମନ୍ତେ ସେ ପ୍ରତ୍ୟେକ ବ୍ୟକ୍ତିବିଶେଷ, ଶିଳ୍ପୋଦ୍ୟୋଗ ଓ ସରକାରଙ୍କ ଭୂମିକା ଉପରେ ଜୋର ଦେଇଥିଲେ। ପ୍ରାରମ୍ଭରେ ଦେବବ୍ରତ ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଏହି ସମାବେଶକୁ ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ମହାପ୍ରବନ୍ଧକ ଅବକାଶ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରାଉରକେଲା ଡିଭିଜନ୍ ସହକାରୀ ନିର୍ଦ୍ଦେଶକ, କାରଖାନା ଏବଂ ବଏଲର, ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଫେକ୍ଟୋରି ଓ ବୟଲର ନିର୍ଦ୍ଦେଶାଳୟ, ରାଉରକେଲା ମଣ୍ଡଳର ଉପନିର୍ଦ୍ଦେଶକ, ସତ୍ୟ ନାରାୟଣ ସେଠି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିଂହାରୀ କଳା ନିକେତନର କଳାକାରମାନଙ୍କ ଦ୍ଵାରା ଆବାହନୀ ସଙ୍ଗୀତ ପରିବେଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଫେକ୍ଟୋରି ଓ ବୟଲର ନିର୍ଦ୍ଦେଶାଳୟ, ରାଉରକେଲା ମଣ୍ଡଳର ସହକାରୀ ନିର୍ଦ୍ଦେଶକ, ଶ୍ରୀ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଇସ୍ପାତ, ସ୍ପଞ୍ଜ ଆଇରନ, ରେଫ୍ରେକ୍ଟୋରୀ, ତେଲ, ଓ ପାୱାର ପ୍ଳାଣ୍ଟରେ ବିଭିନ୍ନ ସୁରକ୍ଷା ଏବଂ ଆଚରଣ ଭିତ୍ତିକ ସୁରକ୍ଷା ଏବଂ ଅନୁଭବ ନେତୃତ୍ୱ, ଅଗ୍ନି ଏବଂ ବିସ୍ଫୋରଣରେ ସୁରକ୍ଷା ବିଷୟରେ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!