ଆରଏସପି ଅଧିକାରୀଙ୍କ ସହଧର୍ମିଣୀଙ୍କ ଓଡିଆ ସିନେମାରେ ପାର୍ଶ୍ଵଗାୟିକା ରୂପେ ପ୍ରଥମ ପଦାର୍ପଣ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ଆରଏସପିର ନିଜସ୍ୱ ମ୍ୟୁଜିକାଲ ବ୍ୟାଣ୍ଡ ‘ନିନାଦ’ର ଅଗ୍ରଣୀ କଣ୍ଠଶିଳ୍ପୀ ବାସବଦତ୍ତା ମହାନ୍ତି ଓଡିଆ ସିନେମାରେ ପାର୍ଶ୍ଵ ଗାୟିକା ରୂପେ ପଦାର୍ପଣ କରି ଇସ୍ପାତ ସହର ପାଇଁ ଗୌରବ ଆଣିଦେଇଛନ୍ତି। ପ୍ରଖ୍ୟାତ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡିଆ ଚଳଚ୍ଚିତ୍ର ‘ପ୍ରୀତି ବନ୍ଧନ’ରେ ତାଙ୍କର ସୁମଧୁର କଣ୍ଠସ୍ୱର ଶୁଣିବାକୁ ମିଳିଛି। ନିଜ ମାଆ ସୁପରିଚିତା କବୟିତ୍ରୀ, ସାହିତ୍ୟିକା ଓ କଣ୍ଠଶିଳ୍ପୀ, ଶ୍ରୀମତୀ ଶାନ୍ତି ମହାନ୍ତିଙ୍କଠାରୁ ପ୍ରଥମ ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ ବାସବଦତ୍ତାଙ୍କର| ପରେପରେ ଓଡିଶାର ସୁନାମଧନ୍ୟ ସଙ୍ଗୀତ ଗୁରୁ ଗ୍ଵାଲିୟର ଘରାନାର ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥିଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଲାଭ କରନ୍ତି ସେ। ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଟି ଦିନରୁ ତାଙ୍କର ଇଶ୍ଵର ଦତ୍ତ କୋକିଳ କଣ୍ଠର କୁହୁକରେ ବାନ୍ଧି ହୋଇଯାଆନ୍ତି ସମସ୍ତ ଶ୍ରୋତା। ତାଙ୍କର ପ୍ରଥମ ଓଡିଆ ଆଲବମ୍ ‘ଆମେ ଏ ଧରା ରା ଗୀତ’ ଶ୍ରୋତାମାନଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲା। ତାଙ୍କର ମନଛୁଆଁ ସଙ୍ଗୀତର ମୂର୍ଚ୍ଛନା ତାଙ୍କ ପାଇଁ ବେଶ ଶ୍ରଦ୍ଧା ଆଦର ସାଉଣ୍ଟି ଆଣିଥିଲା। ଏହା ପରେପରେ ବାସବାଦତ୍ତାଙ୍କ ଗୋଟିଏ ପରେ ଗୋଟିଏ ଭକ୍ତି ସଙ୍ଗୀତ ମୁକ୍ତିଲାଭ କରିବା ସହିତ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା। ସେ ନିଜର ୫ଟି ଭକ୍ତି ଆଲବମରେ ସ୍ୱରଦାନ କରିଛନ୍ତି। ଶ୍ରୀମା ଓ ଶ୍ରୀ ଆରୋବିନ୍ଦଙ୍କ ଅନୁଗାମୀ ବାସବଦତ୍ତା ବିଦ୍ୟାଳୟରେ ପଢୁଥିବା ସମୟରେ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ତା’ର ସଂଗୀତ କେବଳ ଭକ୍ତି ସଙ୍ଗୀତ ମଧ୍ୟରେ ସୀମିତ ନୁହେଁ। ସେ ଗଜଲ ଓ ବିବିଧ ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରି ନିଜର ବହୁମୁଖୀ ପ୍ରତିଭାର ପ୍ରମାଣ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବାସବଦତ୍ତା ଭୁବନେଶ୍ୱର ଦୂରଦର୍ଶନ ଦ୍ୱାରା ଆୟୋଜିତ ମେଗା ପ୍ରତିଭା ଚୟନ ପ୍ରତିଯୋଗିତାର ‘ଆମରୀ ଗୀତ ଆମରି ସ୍ୱର’ର ପ୍ରଥମ ସଂସ୍କରଣର ବିଜେତା ଥିଲେ। ବାସବଦତ୍ତାଙ୍କ ସଙ୍ଗୀତକୁ ପ୍ରକୃତରେ ତାଙ୍କର ସୁଲଳିତ କୋକିଳ କଣ୍ଠସ୍ଵର ଏବଂ ପରିବେଷଣରେ କଳାଚାତୁରୀ ସ୍ଵତନ୍ତ୍ର ଗଢୁଛି। ସେ ତରାନା, ଭଜନ, ଠୁମ୍‌ରି, ସୁଫି ଭଳି ସମେତ ବିବିଧ ସଙ୍ଗୀତ ସ୍ୱରୂପକୁ ଅତି ସୁନ୍ଦର ଭାବରେ ପରିବେଷଣ କରିବାର ସାମର୍ଥ୍ୟ ରଖନ୍ତି ଯାହା ଶ୍ରୋତାମାନଙ୍କୁ ଅଭିଭୂତ କରିଥାଏ ।

Leave a Reply

Your email address will not be published. Required fields are marked *

error: Content is protected !!