ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ରାଉରକେଲା ଗସ୍ତ
1 min read
ଓଡ଼ିଶା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତ୍ତି ବିଚାରପତି ଚିତ୍ତରଞ୍ଜନ ଦାଶ ସପତ୍ନିକ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟରେ ଯୋଗଦେଇଛନ୍ତି। ବିଶେଷ କରି ସହରର ବିରଜପାଲ୍ଲୀ ସ୍ଥିତ ଅଦାଲତ ସମୂହ ପରିସରରେ ଚାଲିଥିବା ନୂତନ ଅଦାଲତ ସମୂହର ସୌଧ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିବା ନିମନ୍ତେ ସେ ରାଉରକେଲା ଗସ୍ତ କରିଥିଲେ।

ଏହି ଅବସରରେ ରାଉରକେଲା ଓକିଲ ସଂଘ ପକ୍ଷରୁ ବିଚାରପତି ଶ୍ରୀ ଦାଶ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଅଭିପ୍ସା ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସୂଚନା ମୁତାବକ ବିଚାରପତି ଶ୍ରୀ ଦାଶ କିଛିବର୍ଷ ରାଉରକେଲା ଓକିଲ ସଂଘର ସଦସ୍ୟଭାବେ କାର୍ଯ୍ୟ କରିବା ପରେ ବିଚାର ବିଭାଗୀୟ ଅଧିକାରୀଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି। ଏହାପରେ ଗତବର୍ଷରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତିଭାବେ କାର୍ଯ୍ୟରତ ଅଛନ୍ତି।

ସେହିଭଳି ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଦାଶ ହେଉଛନ୍ତି ସହରର ଅନ୍ୟତମ ବିଶିଷ୍ଟ ଓକିଲ ଦମ୍ପତ୍ତି ଗୋବର୍ଦ୍ଧନ ପୁଜାରୀ ଏବଂ ଶୈଳବାଳା ପୂଜାରୀଙ୍କ କନ୍ୟା। ତେଣୁ ରାଉରକେଲା ସହରର ପୁଅ ଓ ଝିଅଙ୍କୁ ଓକିଲ ସଂଘର ସଦସ୍ୟମାନେ ଏହି ଅବସରରେ ଉଚ୍ଛ୍ୱସିତ ସ୍ୱାଗତ କରିଥିଲେ। ଏହି ଅବସରରେ ବିଚାରପତି ଶ୍ରୀ ଦାସ ତାଙ୍କର ରାଉରକେଲାରେ କାର୍ଯ୍ୟ କରିଥିବା ସ୍ମୃତିଚାରଣ କରି ଏହା ତାଙ୍କ ପାଇଁ ସ୍ମରଣୀୟ ରହିଛି ବୋଲି କହିଥିଲେ। ସେହିପରି ଶ୍ରୀମତୀ ଦାସ ଇସ୍ପାତ ନଗରୀ ରାଉରକେଲାର ଅନୁଭୂତିକୁ ଏକ ଚମତ୍କାର କବିତା ମାଧ୍ୟମରେ କହିଥିଲେ। ଏହି ଅବସରରେ ଓକିଲ ସଂଘର ସଭାପତି ପ୍ରଦୀପ କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓକିଲ ସଂଘର ସଦସ୍ୟମାନେ ବିଚାରପତି ଶ୍ରୀ ଦାସଙ୍କ ସହିତ ନୂତନଭାବେ ନିର୍ମାଣ ହେଉଥିବା ଅଦାଲତ ସମୁହ ସୌଧରେ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅନୁରୋଧ କରିଥିଲେ।