ସୁନ୍ଦରଗଡ଼ ଜିଲ୍ଲାର ହେମଗିରଗଡ଼:ସାଇତି ରହିଛି ହଜାର ହଜାର ବର୍ଷର ଇତିହାସ

1 min read
Spread the love

ମହାକାଳର କେଉଁ ନିର୍ଦିଷ୍ଟ ସ୍ଥାନରୁ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳର ଇତିହାସ ଆରମ୍ଭ ହୋଇଛି ସେ ସମ୍ପର୍କରେ ବିଶେଷ କିଛି ଜଣା ନାହିଁ। କେବଳ କିଛି ଐତିହାସିକ ତଥ୍ୟ, ଜନଶ୍ରୁତି, ସ୍ଥାନୀୟ ଅଞ୍ଚଳର ପୁରାତନ ନିର୍ମାଣକୁ ନେଇ ଏହି ଅଞ୍ଚଳର ଇତିହାସ ଆଲୋଚନା କରାଯାଉଛି। ମିଳୁଥିବା ଐତିହାସିକ ତଥ୍ୟାନୁସାରେ, ହେମଗିରରେ ଆଜକୁ ପ୍ରାୟ ହଜାରେ ବର୍ଷ ପୂର୍ବେ ଚନ୍ଦ୍ରବଂଶୀ ଶାସନ ପ୍ରତିଷ୍ଠା ହୋଇଥିଲା। ଏହି ବଂଶର ତକତ ସିଂହ ହେମଗିରର ପ୍ରଥମ ଶାସକ ବା ଗଡ଼ତିଆ ଭାବେ ମାନ୍ୟତାପ୍ରାପ୍ତ। ତାଙ୍କ ପରେ ଦେଶ ସ୍ବାଧୀନହେବା ପର୍ଯ୍ୟନ୍ତ ଏହି ବଂଶାବଳୀର ୩୩ ଜଣ ଶାସକ ହେମଗିରଗଡ଼ରେ ଶାସନ କରିଥିଲେ।

ବର୍ତ୍ତମାନଠାରୁ ଏଗାରଶହ ବର୍ଷ ତଳେ ତତ୍କାଳୀନ କଳିଙ୍ଗ ପ୍ରଦେଶ ଉପରେ ଦାକ୍ଷିଣାତ୍ୟର ଚୋଳ ରାଜା ଚୋଳଗଙ୍ଗଙ୍କ ଲଗାତାର ଆକ୍ରମଣ ଫଳରେ କଳିଙ୍ଗ ସାମ୍ରାଜ୍ୟର ପ୍ରବଳପ୍ରତାପୀ ସମ୍ରାଟ ସୁବର୍ଣ୍ଣ କେଶରୀଙ୍କ ବଂଶଜ କପିଳକେଶରୀ କିଛି ଅନୁଗତଙ୍କୁ ଧରି ମହାନଦୀର ଉପରମୁଣ୍ଡ ଆଡ଼କୁ ଅଗ୍ରସର ହୋଇ ହେମଗିରଗଡ଼ର ଏହି ପାର୍ବତ୍ୟ ପରିବେଷ୍ଟିତ ଅନୁନ୍ନତ ଆଦିବାସୀ ଅଞ୍ଚଳରେ ପହଞ୍ଚିଥିଲେ। ବର୍ତ୍ତମାନର ଏହି ହେମଗିରଗଡ଼ ସେ ସମୟରେ ‘ସୁଖାବନ୍ଦ ଗଡ଼’ ଭାବେ ପରିଚିତ ଥିଲା। ସେହି ସମୟରେ ଏଠାକାର ଶାସକ ଆଦିବାସୀ ଜନଜାତିର ଥିଲେ। କପିଳକେଶରୀଙ୍କ ସେନାନାୟକ ତକତ ସିଂହଙ୍କ ଆକ୍ରମଣରେ ସ୍ଥାନୀୟ ସର୍ଦ୍ଦାର ଛତ୍ରଭଙ୍ଗ ଦେଇ ସପରିବାର ଅନ୍ୟ ଅଞ୍ଚଳକୁ ପଳାୟନ କଲେ। ସୁଖାବନ୍ଦଗଡ଼ ପରେ ମଶାବିରାଗଡ଼, ବେଲସରାଗଡ଼ ଓ କର୍ମାଗଡ଼ (ଯାହା ଏବେ ଆଧୁନିକ ଛତିଶଗଡ଼ର ରାଏଗଡ଼ ଜିଲ୍ଲା)କୁ ମିଶାଇ କପିଳକେଶରୀ ଏଠାରେ ତାଙ୍କ ରାଜ୍ୟ କେଶରୀଗଡ଼ର ସ୍ଥାପନ କରିଥିଲେ। ସେ ସମୟରେ ଏଠଶରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିଲା। ତେଣୁ କପିଳକେଶରୀ ପୂର୍ବନାମ ସୁଖାବନ୍ଦଗଡ଼ରୁ ଏହାର ନାମ ପରିବର୍ତ୍ତନ କରି ହିମ(ଥଣ୍ଡା)ଓ ଗିରି (ପର୍ବତ) ଅନୁସାରେ ହେମଗିରଗଡ଼ ରଖିଲେ ଓ ଏହି ନୂତନ ହେମଗିରଗଡ଼ର ପ୍ରଥମ ଗଡ଼ତିଆ ଶାସକ ଭାବେ ତାଙ୍କ ସବୁଠୁ ବିଶ୍ବସ୍ତ ତକତ ସିଂହଙ୍କୁ ନିଯୁକ୍ତ କଲେ। ଏହିପରି ଭାବେ କପିଳକେଶରୀଙ୍କ ଦ୍ଵାରା ଚନ୍ଦ୍ରବଂଶୀ ରାଜବଂଶର ଶାସନ ଆରମ୍ଭ ହେଲା। ଏହା ପାଖାପାଖି ୯୩୦ ଖ୍ରୀଷ୍ଟାବ୍ଦର କଥା ବୋଲି ଐତିହାସିକଙ୍କ ମତ। ଏହା ଭିତରେ ହଜାରରୁ ଅଧିକ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ଗଡ଼ର ସହସ୍ରବର୍ଷର ଇତିହାସକୁ ଅନେକ କୀର୍ତ୍ତିରାଜି ଜାବୁଡ଼ି ରଖିଛି। ତାହାମଧ୍ୟରେ ହେମଗିରର ରାଜବାଟୀ, ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ମନ୍ଦିର, ସୁଖାବନ୍ଦ ମହାଦେବ ମନ୍ଦିର, ମାଣିକମୁଣ୍ଡା, ଜୁନାଗଡ଼ ପରି ଅନେକ ପାହାଡ଼ପର୍ବତ ଗୁମ୍ଫାରେ ଅନେକ ଶିଳାଲେଖ ଓ ପଥରଖୋଦେଇ ଚିତ୍ରକଳା।

ହେମଗିର ଗ୍ରାମରେ ପୂର୍ବଦିଗରୁ ପ୍ରବେଶ କରୁ କରୁ ରାଜବାଟୀ, ତା’ ପରିସରରେ ହେମଗିର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ମନ୍ଦିର। ଏଠାରେ ପ୍ରତିବର୍ଷ ଦଶହରା ପର୍ବ ଖୁବ୍ ଧୁମଧାମରେ ପାଳିତ ହୋଇଥାଏ। ରାଜବାଟୀଠାରୁ ୩ କିଲୋମିଟର ପୂର୍ବରେ ସର୍ବପୁରାତନ ସୁଖାବନ୍ଦଠାରେ ମହାଦେବ ମନ୍ଦିର ଓ ତା’ ଆଗକୁ ଘଞ୍ଚଜଙ୍ଗଲ ମଧ୍ୟରେ ମାଣିକମୁଣ୍ଡା ଓ ଜୁନାଗଡ଼ ଗୁମ୍ଫା ଅବସ୍ଥିତ। ଏହି ମହାଦେବ ମନ୍ଦିର କେଶରୀ ରାଜବଂଶର କେଉଁ ରାଜାଙ୍କ ଦ୍ଵାରା ନିର୍ମିତ ହେଇଥିଲା ତାହାର କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନ ଥିଲାବେଳେ ପ୍ରାୟ ହଜାରେ ବର୍ଷ ତଳେ କପିଳକେଶରୀ ଘୋର ଜଙ୍ଗଲ ମଧ୍ୟରେ ଏହାକୁ ସ୍ଥାପନ କରିଥିବା ଲୋକଶ୍ରୁତିରୁ ଜଣାଯାଏ। ଦୁଇଶହ ବର୍ଷ ଆଗରୁ ଗଡ଼ତିଆ ଶାସକ ଚନ୍ଦନ ସିଂ ଏହାର ପୁନଃନିର୍ମାଣ କରାଇଥିଲେ।

ମାଣିକମୁଣ୍ଡା ଓ ଜୁନାଗଡ଼ ସମେତ ଆଖପାଖ ଅନେକ ଗୁମ୍ଫାରେ ହଜାର ହଜାର ବର୍ଷ ପୂର୍ବର ପଥରଖୋଦିତ ଶିଳାଲେଖ, ଚିତ୍ରକଳା ଆଜି ବି ଦେଖିବାକୁ ମିଳୁଥିବାବେଳେ ସେତେବେଳେ ଏହା ସୈନ୍ୟଛାଉଣି ତଥା ସୈନ୍ୟ ପ୍ରଶିକ୍ଷଣ ଶିବିର ଭାବେ ବ୍ୟବହୃତ ହେଉଥିଲା। ଏହାଛଡ଼ା କେଶରୀ ରାଜବଂଶର ୧୨ ଜଣ ଭାଇଙ୍କ ନାମରେ ପାହାଡ଼ ଉପରିଭାଗରେ ଏକ କୂଅ ଅଛି। ଯାହାକୁ ବାରଭାଇ କୂଅ କହନ୍ତି। ଏଥିରେ ବର୍ଷସାରା ପାଣି ଭର୍ତ୍ତି ହୋଇ ରହିଥାଏ। ଐତିହାସିକଙ୍କ ମତରେ କପିଳକେଶରୀ ଏଠାକୁ ଆସିବା ପରେ ଏଠାରେ ରହୁଥିବା ଆଦିବାସୀ ଜନଜାତିର ଯୁବତୀମାନଙ୍କୁ କନ୍ୟାରୂପେ ଗ୍ରହଣ କରିବାର ପ୍ରଥା ଆରମ୍ଭ କରିଥିଲେ। ଆଉ ଏପରି ଭାବେ ଖଣ୍ଡାୟତ ଭୂୟାଁ ଜନଜାତିର ଉତ୍ପତ୍ତି ହୋଇଥିବା କୁହାଯାଉଛି।

ଆଉ କିଛି ଐତିହାସିକ ଏହି ହିମଗିରଗଡ଼ ବସୁନ୍ଧରା ଉପତ୍ୟକାରୁ ବିଶ୍ଵପ୍ରସିଦ୍ଧ କୋହିନୂର ହୀରା ମିଳିଥିବା କହନ୍ତି। କାଳକ୍ରମେ ତାହା ଦାକ୍ଷିଣାତ୍ୟର ରାଜାଙ୍କ ପାଖକୁ ଗଲା। ସେଠାରୁ ହାଇଦ୍ରାବାଦ ନିଜାମ, ମରହଟ୍ଟା ଏବଂ ପଞ୍ଜାବକେଶରୀ ରଣଜିତ ସିଂଙ୍କଠାରୁ ଇଂରେଜମାନଙ୍କ ହାତକୁ ଯାଇ ଏବେ ବ୍ରିଟେନର ରାଜମୁକୁଟରେ ଶୋଭାପାଉଛି। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ଦେହାନ୍ତ ମଧ୍ୟ ହେମଗିରଗଡ଼ର ଘଞ୍ଚଜଙ୍ଗଲ ମଧ୍ୟରେ ହୋଇଥିବା ତଥା ଭଗବାନ ଶ୍ରୀରାମଙ୍କର ତୀରମାଡ଼ରେ ଏକ ପାହାଡ଼ରେ ଏକ ବିରାଟ ଫାଟ ତିଆରି ହୋଇଯାଇଥିବା ଗାଥା ଲୋକମୁଖରୁ ଶୁଣିବାକୁ ମିଳେ। ଯାହା ଏବେ ଚେଙ୍ଗା ପାହାଡ଼ ଭାବେ ଏବେ ବି ଘୋଡ଼ାମରା ଘାଟି ନିକଟରେ ଦଣ୍ଡାୟମାନ। ଓଡ଼ିଶାର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ମଧ୍ୟ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଏଠାରେ  ଅବସ୍ଥାନ କରି ଇଂରେଜମାନଙ୍କ ସହ ଗରିଲାଯୁଦ୍ଧ ଚଳାଇଥିବା ଜଣାଯାଏ। ୧୮୦୩ରେ ଇଷ୍ଟ ଇଣ୍ଡିଆ କମ୍ପାନିର ଓଡ଼ିଶା ଦଖଲ ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ଗାଙ୍ଗପୁର ଇଷ୍ଟେଟ୍‌ ଅଧୀନରେ ଆସିଥିବା ବେଳେ ଦେଶ ସ୍ବାଧୀନ ପରେ ଗାଙ୍ଗପୁର ଇଷ୍ଟେଟ୍‌ ଓ ବଣାଇ ଇଷ୍ଟେଟ୍‌ର ମିଶ୍ରଣରେ ଆଜିର ସୁନ୍ଦରଗଡ଼ ଜିଲ୍ଲା ଗଠନ ହୋଇଥିଲା।

ଏପରି ଅନେକ ଐତିହାସିକ ଗାଥା ବହନ କରୁଥିବା ହେମଗିରଗଡ଼ ଅଞ୍ଚଳ ପର୍ଯ୍ୟଟକ, ଗବେଷକ ଓ ପ୍ରକୃତିପ୍ରେମୀଙ୍କୁ ସବୁ ସମୟରେ ଆକୃଷ୍ଟ କରିଥାଏ। ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ଗମନାଗମନ ସୁବିଧା ଓ ପାରିପାର୍ଶ୍ବିକ ଉନ୍ନତି ପ୍ରତି ଆଦୌ ଧ୍ୟାନ ଦିଆଯାଇ ନଥିବାରୁ ଏହା ଦିନକୁ ଦିନ ଅବହେଳିତ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ହେମଗିରି ଅଞ୍ଚଳ ସମ୍ପର୍କରେ ଅନେକ ତଥ୍ୟ ଓ ସୂଚନା ଆଜି ମଧ୍ୟ ଲୋକ ମୁଖରେ ଅଜଣା ରହିଛି। ଏହି ଅଞ୍ଚଳର ଇତିହାସ, ଲୋକ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅଧିକରୁ ଅଧିକର ପ୍ରସାର ଓ ପ୍ରଚାରର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!