ରାଉରକେଲା ନାଗରିକ ସୁରକ୍ଷା କମିଟି ର ଜରୁରୀ ବୈଠକ: ରାଉରକେଲା ଓ ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନର ଆହ୍ୱାନ
1 min read
ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଉରକେଲା ରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦେଶର ଟିକସଦାତାଙ୍କ ୪ଶହ କୋଟି ଟଙ୍କାରେ ଏହି ହସ୍ପିଟାଲ ତିଆରି କରାଗଲା। କିନ୍ତୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶୃତି ମେଡିକାଲ କଲେଜ ହେଲାନାହିଁ। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ଜନ ସାଧାରଣଙ୍କ ଆଶା ବାନ୍ଧିଥିଲେ ସେମାନେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ରେ ଚିକିତ୍ସିତ ହେବେ ଏବଂ ସେମାନଙ୍କ ଛୁଆମାନେ ଏହି ମେଡିକାଲ କଲେଜରେ ପାଠ ପଢିପାରିବେ। କିନ୍ତୁ ଲୋକଙ୍କ ସେ ସ୍ଵପ୍ନ କେବଳ ସ୍ଵପ୍ନ ରେ ରହିଗଲା। ଆଜି ଲୋକଙ୍କୁ ଦିନ ଦ୍ବିପହରରେ ବିଶ୍ବାସଘାତକତା କରି ୪ଶହ କୋଟି ଟଙ୍କାରେ ନିର୍ମିତ ଏହି ହସ୍ପିଟାଲ କୁ ଏକ ବ୍ୟବସାୟିକ ସଂସ୍ଥା ଆପୋଲୋ କୁ ଟେକି ଦିଆଗଲା। ଏହାର ପ୍ରତିବାଦ କରିବାକୁ କେହି ନାହାନ୍ତି। ରାଉରକେଲା ନାଗରିକ ସୁରକ୍ଷା କମିଟି ଏହି ପ୍ରତାରଣା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛି। ରାଉରକେଲା ବନ୍ଦର ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ପଦଯାତ୍ରା,ପଥପ୍ରାନ୍ତ ସଭା, ରାଉରକେଲା ରିଙ୍ଗ ରୋଡ ରେ ବିଶାଳ ମାନବ ଶୃଙ୍ଖଳ କରାଯାଇଛି। ରାଉରକେଲା ନାଗରିକ ସୁରକ୍ଷା କମିଟି ର ନିଷ୍ପତ୍ତି ଅନୁଯାୟୀ ସହରର ବିଭିନ୍ନ ସ୍ଥାନରେ ଜନ ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଆଲୋଚନା ସଭା ଅନୁଷ୍ଠିତ କରାଯାଇଥିଲା।
ଏହି କ୍ରମରେରାଉରକେଲା ନାଗରିକ ସୁରକ୍ଷା କମିଟି ର ଏକ ଜରୁରୀ ସାଧାରଣ ପରିଷଦ ବୈଠକ କମିଟିର ପ୍ରମୁଖ ସଦସ୍ୟ ଅଭୟ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ର ବିଭିନ୍ନ ଦାବି ଉପରେ ଯୁବ ଛାତ୍ର ମହିଳା ସଂଗଠନ ମାନଙ୍କୁ ଏକତ୍ରିତ କରିବା ସହ ଏକ ଜିଲ୍ଲା ସ୍ତରୀୟ କନଭେନସନ ଆଗାମୀ ଅଗଷ୍ଟ ୨୦ ତାରିଖ ରେ ସଂଗଠିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲା ସ୍ତରୀୟ କନଭେନସନ ପୂର୍ବରୁ ଜୁନ୍ ୧୧ ତାରିଖ ରେ ଯୁବ ଛାତ୍ର ମାନଙ୍କୁ ଏକଜୁଟ କରି ଏକ କନଭେନସନ ସଂଗଠିତ କରାଯିବ। ସେହିପରି ଜୁନ୍ ୨୫ ତାରିଖରେ ସହରର ସମସ୍ତ ଶ୍ରମିକ ସଂଗଠନ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, କର୍ମଚାରୀ ମାନଙ୍କୁ ନେଇ ଏକ କନଭେନସନ ଅନୁଷ୍ଠିତ ହେବ। ଅନୁରୂପ ଭାବେ ଜୁଲାଇ ୭ ତାରିଖ ରେ ସହରର ବିଭିନ୍ନ ସାହିତ୍ୟ/ସାମାଜିକ ଓ ସାଂସ୍କୃତିକ ଓ ନାଟ୍ୟ ସଂଗଠନ କୁ ନେଇ ଏକ କନଭେନସନ ଅନୁଷ୍ଠିତ ହେବାକୁ ଥିଲାବେଳେ ଜୁଲାଇ ୧୬ ତାରିଖ ରେ ବିଭିନ୍ନ ମହିଳା ସଂଗଠନ ଓ ବିଭିନ୍ନ କ୍ଷେତ୍ରର ମହିଳା ମାନଙ୍କୁ ଏକତ୍ରିତ କରି ଏକ କନଭେନସନ ଅନୁଷ୍ଠିତ ହେବ। ଏହା ପରେ ଅଗଷ୍ଟ ୨୦ ତାରିଖ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇ ଏହି ଆନ୍ଦୋଳନକୁ ବ୍ୟାପକ ରୂପ ଦେବାସହ ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କୁ ଏମ୍ସ ଦ୍ବାରା ପରିଚାଳନା କରିବା, ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ରାଉରକେଲା ରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପ୍ରଭୃତି ଦାବି ଯାହା ନାଗରିକ ସୁରକ୍ଷା କମିଟି ଉପସ୍ଥାପନ କରିଛି, ସେହି ଦାବିକୁ ନେଇ ଭୁବନେଶ୍ବର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ଠାରୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରତି ଦୀର୍ଘ ଦିନ ହେବ କରାଯାଇଥିବା ଅବହେଳା ବିରୁଦ୍ଧରେ ପ୍ରତିବାଦ କରାଯିବା ସହ ତୁରନ୍ତ ଦାବି ଉପରେ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରାଯିବ। ଜଗଦା ସ୍ଥିତ ମା ବାଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ରାଉରକେଲା ନାଗରିକ ସୁରକ୍ଷା କମିଟି ର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ସଂଜୀବ ମହାନ୍ତି, ବୈଦ୍ୟନାଥ ଦାସ, ସତ୍ୟପ୍ରିୟ ମହାନ୍ତି, ବିମାନ ମାଇତି, ମନୋରଞ୍ଜନ ଦାଶ, ଗଣେଶ ପ୍ରଧାନ, ପଶୁପତିନାଥ ଚାଟାର୍ଜୀ, ସୁକାନ୍ତ ଖୁଣ୍ଟିଆ, ପିତାମ୍ବର ନାୟକ, ଶ୍ରୀମନ୍ତ ବେହେରା, ଅନୂସୟା ପଣ୍ଡା, ସୁରେନ୍ଦ୍ର ଦାଶ, ଜଟାଧାରୀ ମାଝୀ, ରାଜ କିଶୋର ପ୍ରଧାନ, ପ୍ରଭାତ କୁମାର ମହାନ୍ତି, ଲକ୍ଷ୍ମୀଧର ନାୟକ, ବସନ୍ତ ନାୟକ, ସୁରେଶ ଜେନା, କରୁଣାକର ସାହୁ, କୁଞ୍ଜ ବିହାରୀ ରାଉତ, କାର୍ତ୍ତିକ ପାଣ୍ଡବ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ସଂସଦ ଅଧିବେଶନ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ରେଳ, ସ୍ବାସ୍ଥ୍ୟ ଓ ଇସ୍ପାତ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।