ଆରଏସପିର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ
1 min read
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା କ୍ରୀଡା ପ୍ରତିଭାମାନଙ୍କ ନିମନ୍ତେ ଆୟୋଜିତ ୩୫ ତମ ବାର୍ଷିକ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଇସ୍ପାତ ଷ୍ଟାଡିୟମଠାରେ ଉଦଯାପିତ ହୋଇଯାଇଛି । ଏଥିରେ ଆରଏସପିର କାର୍ମିକ ଓ ପ୍ରଶାସନ ତଥା ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସହରପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ, ପ୍ରତାପ କୁମାର ସ୍ଵାଇଁ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ ଏହି ଅବସରରେ ବକ୍ତବ୍ୟ ରଖି ଶ୍ରୀ ଶତପଥୀ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପୂର୍ବକ ଯୁବବର୍ଗଙ୍କ ଶକ୍ତିସାମର୍ଥ୍ୟକୁ ଏକ ଗଠନମୂଳକ ଦିଗ ପ୍ରଦାନ ନିମନ୍ତେ କ୍ରୀଡ଼ା ବିଭାଗର ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ। ଗ୍ରୀଷ୍ମ ପ୍ରଶିକ୍ଷଣ ଶିବିର ରାଉରକେଲା ଏବଂ ନିକଟବର୍ତ୍ତୀ ଅଞ୍ଚଳର ପ୍ରତିଭାଙ୍କୁ ସେମାନଙ୍କର ଦକ୍ଷତାକୁ ଅଧିକ ଶାଣିତ କରିବାରେ ସାହାଯ୍ୟ କରିଥାଏ ବୋଲି ଦର୍ଶାଇ ସେ ଆଶା ପ୍ରକଟ କରିଥିଲେ ଯେ ଏହି ଛାତ୍ରଛାତ୍ରୀମାନଙ୍କ ଜୀବନ ଉଜ୍ଜ୍ୱଳମୟ ହେବ ଏବଂ ରାଉରକେଲା ପାଇଁ ସେମାନେ ସୁନାମ ଅର୍ଜନ କରିବେ।

ଶିବିରର ଅଂଶଗ୍ରହଣକାରୀ ମାନେ ଏହି ଅବସରରେ ବିଭିନ୍ନ ଖେଳକୁଦର ଏକ ଚିତ୍ତାକର୍ଷକ ପ୍ରଦର୍ଶନ ଉପସ୍ଥାପନ କରିଥିଲେ। ଏଥିସହିତ ଉଦଯାପନୀ ଉତ୍ସବରେ କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ବିଭିନ୍ନ ଦଳ ଓ ପ୍ରଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମ ପ୍ରାରମ୍ଭରେ ହସ୍ପିଟାଲ ପ୍ରଶାସନ, କ୍ରୀଡା ଓ ବିମାନବନ୍ଦର ବିଭାଗର ମହାପ୍ରବନ୍ଧକ ଆର କେ ବର୍ମା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡା ବିଭାଗର ସହକାରୀ ପ୍ରବନ୍ଧକ, ରଘୁନନ୍ଦନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନିଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ମଇ ୫ ତାରିଖରେ ଉଦଘାଟିତ ହୋଇଥିବା ଏହି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରରେ ସହସ୍ରାଧିକ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ଆଥଲେଟିକ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବଡିବିଲ୍ଦିଙ୍ଗ, ବକସିଙ୍ଗ, ଚେସ, କ୍ରିକେଟ, ସାଇକ୍ଲିଙ୍ଗ, ଫୁଟବଲ, ହକି, କବାଡି, ଟେବୁଲଟେନିସ, ଭଲିବଲ, ୱେଟଲିଫ୍ଟିଂ, ପାୱାରଲିଫ୍ଟିଂ, ଯୋଗ ଭଳି ୧୪ ଟି ବିଭାଗରେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଆର୍ଏସପି ପକ୍ଷରୁ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମକାଳୀନ କ୍ରୀଡା ଶିବିର ଅତୀତରେ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡାବିତ ସୃଷ୍ଟି କରିବା ସହ ସମ୍ପ୍ରତି ବହୁ ଉଦୀୟମାନ କ୍ରୀଡା ତାରକାଙ୍କୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରି ରଖିଛି ।