ନବନିଯୁକ୍ତ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା
1 min read
ନବନିଯୁକ୍ତ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା
ଗତ ସୋମବାର ଦିନ ରାଉରକେଲାର ବିଧାୟକ ସାରଦା ନାୟକ ଶ୍ରମମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ। ବୁଧବାର ଶ୍ରୀ ନାୟକ ରାଉରକେଲା ଫେରିବା ପରେ ତାଙ୍କୁ ସହରର ଗ୍ରୀନ ପାମ୍ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଉରକେଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହି ଅବସରରେ ଶ୍ରୀ ନାୟକ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରି ଆସନ୍ତା ୧୫ଦିନ ମଧ୍ୟରେ ସେ ସମ୍ଭାଳିଥିବା ଶ୍ରମ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହେବା ପରେ ପରବର୍ତ୍ତୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବେ ବୋଲି କହିଥିଲେ। ଏହା ସହିତ ସେ ନିଜେ ଜଣେ ଶ୍ରମିକର ପୁଅ ହୋଇଥିବାରୁ ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ସ୍ୱାର୍ଥ କିପରି ରକ୍ଷାହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ଆସନ୍ତା ଅଳ୍ପ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କୁ କିଛି ନୂତନ ଭେଟି ଦେବେ ବୋଲି ସେ ଆଶା ରଖିଥିବା କହିଥିଲେ। ଏହି ଅବସରରେ ବିଜୁ ଜନତା ଦଳର ବିଭିନ୍ନ ମୋର୍ଚ୍ଚାର କର୍ମୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।