ଶିମିଳିପାଳ ଅଭୟାରଣ୍ୟରେ ବନରକ୍ଷୀ ହତ୍ୟା ଘଟଣାରେ ପୋଲିସ ଏସ୍‌ପି ଙ୍କ ସାମ୍ବାଦିକ ସମ୍ମିଳନୀ

1 min read
Spread the love

ସୋମବାର ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଗୁଳି କରି ଜଣେ ବନରକ୍ଷୀଙ୍କୁ ହତ୍ୟା କରିଥିଲେ। ଶିକାରୀଙ୍କୁ ଧରିବା ପାଇଁ ପୁଲିସ ଫୋର୍ସ ସହାୟତାରେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସାମ୍ବାଦିକମାନଙ୍କ ସହିତ ପୋଲିସ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ଏହିଭଳି ଘଟଣାକୁ ନେଇ ଜିଲ୍ଲା ପୋଲିସ ସକ୍ରୀୟ ଅଛି। ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀମାନେ କୌଣସି ପେଶାଦାର ଅପରାଧୀ ନୁହଁନ୍ତି ଏବଂ ସେମାନେ ହେଉଛନ୍ତି ଗ୍ରାମବାସୀ। ଏହିଭଳି ଘଟଣା ଆଉଥରେ ନହେବା ପାଇଁ ପୋଲିସ ପକ୍ଷରୁ ତିନିସୁତ୍ରୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ପ୍ରଥମ ହେଉଛି ହତ୍ୟାକାରୀ ଗ୍ରାମବାସୀମାନଙ୍କୁ ଧରିବା ନିମନ୍ତେ ଦୁଇତି ସ୍ୱତନ୍ତ୍ର ଦଳର ଗଠନ। ଦ୍ୱିତୀୟ ହେଉଛି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳର ପୂର୍ବ ପାର୍ଶ୍ୱରେ ସକ୍ରିୟ ଥିବା ଅବୈଧ ଦେଶୀ ବନ୍ଧୁକ ବ୍ୟବହାର ଓ କାରବାରକୁ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ବେଆଇନ କାର୍ଯ୍ୟ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ।

ସୂଚନା ମୁତାବକ ସୋମବାର ସନ୍ଧ୍ୟା ସମୟରେ ଶିମିଳିପାଳ ଉତ୍ତର ଡିଭିଜନର ଶେଷସୀମା ଓ ଦକ୍ଷିଣ ଡିଭିଜନର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍‌ ହାଉସ୍‌ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ଖବର ପାଇଥିଲା ବନ ବିଭ‌ାଗର ପାଟ୍ରୋଲିଂ ଦଳ। ସେମାନଙ୍କୁ ଧରିବା ଲାଗି ପାଟ୍ରୋଲିଙ୍ଗ ଦଳ ସେଠାରେ ଚଢ଼ଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ଗଛ ଆଢ଼ୁଆଳରୁ ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଶିକାରୀ। ପାଲଟା ଆକ୍ରମଣରେ ବନ କର୍ମଚାରୀ ମଧ୍ୟ ଗୁଳି ଚଳାଇଥିଲେ। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଟଳି ପଡ଼ିଥିଲେ ବନରକ୍ଷୀ।

Leave a Reply

Your email address will not be published. Required fields are marked *

error: Content is protected !!