ଆସ ବୁଲି ଯିବା ରାଉରକେଲାରେ ଇନ୍ଦିରା ଗାନ୍ଧୀ ପାର୍କ : ଆକର୍ଷିତ କରୁଛି ନବୀକୃତ ଏକାଧିକ ପ୍ରକଳ୍ପ
1 min read
ରାଉରକେଲା ସହରର ଅନ୍ୟତମ ଆକର୍ଷଣ ସ୍ଥଳ୍ଳିଭାବେ ପରିଚିତ ଇନ୍ଦିରା ଗାନ୍ଧୀ ପାର୍କ। ସହରର ଇସ୍ପାତ ଶିଳ୍ପ ସହରାଞ୍ଚଳରୁ ଟ୍ରାଫିକ ଛକ ଆଡ଼କୁ ଯିବା ରାସ୍ତାରେ ପ୍ରାୟ ୫୦ ଏକର ପରିମିତ ଜମିରେ ନିର୍ମାଣ ହୋଇଛି ଇନ୍ଦିରା ଗାନ୍ଧୀ ପାର୍କ। ସାରା ରାଜ୍ୟରେ ଏହା ଏକ ବୃହତ୍ତମ ମନୋରମ ଉଦ୍ୟାନଭାବେ ପରିଚିତ। ଏହି ପାର୍କକୁ ପ୍ରବେଶ କରିବା ପାଇଁ ଜଣପିଛା ୧୦ ଟଙ୍କା ପ୍ରବେଶ ଶୁକ୍ଳ ରହିଛି। ୨୦୧୬ ମସିହା ବିମୁଦ୍ରିକରଣ ପରେ ଏହି ପର୍ବେଶ ଶୁକ୍ଳ ଆଦାୟ କେବଳ ଅନ୍ଲାଇନ ମାଧ୍ୟମରେ କରାଯାଉଛି। ଏହି ପାର୍କ ମଧ୍ୟରେ ରହିଛି ବିଭିନ୍ନ ଜୀବଜନ୍ତୁଙ୍କ ଚିଡ଼ିଆଖାନା। ଏହା ସହିତ ଟୟ ଟ୍ରେନ୍ । ଟୟ ଟ୍ରେନ୍ର ବସିବାର ମଜା କିଛି ନିଆରା। କାରଣ ପାର୍କର ଗୋଟିଏ ପାର୍ଶ୍ୱରେ ଥିବା ପ୍ରାୟ ୩ ଏକର ପରିମିତ ଜଳାଶୟରୁଅ ଚାରିପାଖରେ ବିଛାଯାଇଥିବା ରେଳ ରାସ୍ତାରେ ନ୍ୟାରୋ ଗଜ୍ ଟ୍ରେନ୍ ମଧ୍ୟମରେ ବୁଲିବାକୁ ଉଭୟେ ବୟଷ୍କ ଓ ପିଲାମାନଙ୍କୁ ବେଶ୍ ମଜା ଲାଗିଥାଏ। ଏହା ସହିତ ଜଳାଶୟରେ ମନୋରଞ୍ଜନ ନିମନ୍ତେ ରହିଛି ବୋଟ୍ ଚାଳନା ବ୍ୟବସ୍ଥା। ବୋତ୍ ଚାଳନା ଓ ଟ୍ରେନ୍ରେ ବୁଲିବା ନିମନ୍ତେ ଅଲଗା ଶୁଳ୍କ ଦେବାକୁ ପଡ଼ିଥାଏ। ଅବଶ୍ୟ ଏହି ଶୁଳ୍କ ନଗଦ ଆକାରରେ ଦେବାର ବ୍ୟବସ୍ଥା ରହିଛି। ଜଣେ ପର୍ଯ୍ୟଟକକୁ ଟ୍ରେନ୍ରେ ବସିବା ପାଇଁ ୨୦ଟଙ୍କା ଲେଖା ଦେବାକୁ ପଡ଼ିବ।

ସେହିଭଳି ୪ଜଣିଆ ପର୍ଯ୍ୟଟକ ଗୋଟିଏ ବୋଟ୍ ନେଲେ ଜଣ ପିଛା ୨୦ଟଙ୍କା ବା ଗୋଟିଏ ବୋଟ୍ ପିଛା ୮୦ଟଙ୍କା ଦେବାକୁ ପଡ଼ିବ। ସେହିଭଳି ୨ଜଣିଆ ପର୍ଯ୍ୟଟକ ଗୋଟିଏ ବୋଟ୍ ନେବାକୁ ଚାହିଁଲେ ୬୦ଟଙ୍କା ଦେବାକୁ ପଡ଼ିବ। ଏହା ବ୍ୟତୀତ ପାର୍କ ମଧ୍ୟରେ ରହିଛି ନବୀକୃତ ଡଲ୍ ମ୍ୟୁଜିୟମ୍। ଏହାକୁ ଦେଖିବା ପାଇଁ ସମୟ ରହିଛି ଅପରାହ୍ଣ ୩ଟାରୁ ୫ଟା। ସେହିଭଳି ପାର୍କ ମଧ୍ୟରେ ରହିଥିବା ନବୀକୃତ ୱାଚ୍ ଟାୱାର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହା ବ୍ୟତୀତ ସମଗ୍ର ପାର୍କ ମଧ୍ୟରେ ବୁଲିବା ମଧ୍ୟ ବେଶ୍ ମନୋରଞ୍ଜନପୂର୍ଣ୍ଣ ହୋଇଛି। ପର୍ଯ୍ୟଟକମାନଙ୍କ ପାଇଁ ପାର୍କ ମଧ୍ୟରେ ରହିଛି ଗୋଟିଏ ରେସ୍ତୋରାଁ ଓ ଅନ୍ୟଏକ ଖାଦ୍ୟ ଦ୍ରବ୍ୟ ବିକ୍ରୟ ଦୋକାନ। ଏଠାରେ ଭଳି ଭଳି ଖାଦ୍ୟ ଉପଲବ୍ଧ ହେଉଛି। ରେସ୍ତୋରାଁ ନିକଟରେ ଥିବା କୃତ୍ରିମ ଝରଣା ମଧ୍ୟ ଅନ୍ୟତମ ଆକର୍ଷଣ ହୋଇଛି। ସେହିଭଳି ପାର୍କ ମଧ୍ୟରେ ରହିଛି ବ୍ୟାଖ୍ୟାନ କେନ୍ଦ୍ର। ଏହି କେନ୍ଦ୍ର ମାଧ୍ୟମରେ ପର୍ଯ୍ୟଟକମାନେ ବିଭିନ୍ନ ସୂଚନା ପାଇପାରିବାର ବ୍ୟବସ୍ଥା ହୋଇଛି। ତେଣୁ ମୋଟ ଉପରେ ରାଉରକେଲା ସହରରେ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ହେଉଛି ଇନ୍ଦିରା ଗାନ୍ଧୀ ପାର୍କ। କିନ୍ତୁ ଏହି ପାର୍କକୁ ବୁଲିବା ପାଇଁ ରହିଥିବା ସମୟ ସାରଣୀ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରୁ ନଥିବା ଜଣାପଡ଼ିଛି। କାରଣ ଗ୍ରୀଷ୍ମ ସମୟରେ ପାର୍କରେ ପ୍ରବେଶ କରିବା ପାଇଁ ସମୟ ହେଉଛି ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ଏବଂ ଶୀତ ସମୟରେ ଏହା ସକାଳ ୯ଟାରୁ ସନ୍ଧ୍ୟା ୫ଟା ୩୦ ରହିଛି। ପ୍ରତିଦିନ ଏହି ପାର୍କକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ଏହି ପାର୍କକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ପାର୍କର ପରିଚାଳନା କର୍ତ୍ତୃପକ୍ଷ ସଜାଗ ହୋଇ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।