ଘଣ୍ଟା ଘଣ୍ଟା ବିଳମ୍ବ ଯୋଗୁଁ ହନ୍ତସନ୍ତ ରେଳଯାତ୍ରୀ : ବିଶ୍ୱସ୍ତରୀୟ ରେଳସେବା କେବଳ ଘୋଷଣାରେ ସୀମିତ ଅଭିଯୋଗ

1 min read
Spread the love

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ଭାରତୀୟ ରେଳ ଏକ ନୂଆ ଅପରିଚୟ ପାଇଛି। ବିଶେଷ କରି ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଭାରତୀୟ ରେଳବାଇରେ ଅନେକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଅନେକ ସମୟରେ ଉଭୟେ ରେଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇ ବିଶ୍ୱସ୍ତରୀୟ ହୋଇପାରିଛି ବୋଲି କହିଛନ୍ତି। ଏହା ସତ୍ତ୍ୱେ ସୁଦ୍ଧା ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ସମୟରେ ରେଳ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀଙ୍କ ଅବସ୍ଥା ଅନେକ ସମୟରେ କେବଳ ହନ୍ତସନ୍ତ ହେବା ସାର ହୋଇଛି। ବିଶେଷ କରି ମଇ ମାସରେ ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ବିଭିନ୍ନ ଟ୍ରେନ୍‌ ସର୍ବାଧିକ ୨୦ ରୁ ୨୨ଘଣ୍ଟା ବିଳମ୍ବରେ ଚାଲିବାକୁ ନେଇ ସମସ୍ତ ବର୍ଗର ରେଳଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ତାତି ସହିତ ଖରା ଓ ଗରମ ଯୋଗୁଁ ଯାତ୍ରୀମାନେ ଟ୍ରେନ୍‌ ଧରିବା ପାଇଁ ଘରୁ ବାହାରି ଆସିବା ପରେ ଟ୍ରେନ୍‌ ବିଳମ୍ବ ଯୋଗୁଁ ଅନେକ ପ୍ରତିକୂଳ ସ୍ଥିତିରେ ଷ୍ଟେସନ ପରିସରରେ ଛୁଆପିଲାଙ୍କୁ ଧରି ରହିବାକୁ ବାଧ୍ୟ ହେଉଛନ୍ତି।

ବିଶେଷ କରି ଦୂରଗାମୀ ଅର୍ଥାତ୍‌ ୫୦୦ ବା ଏକହଜାର କିଲୋମିଟର ରୁ ଅଧିକ ଯାତ୍ରା କରୁଥିବା ଟ୍ରେନ୍‌ଗୁଡ଼ିକର ନିର୍ଦ୍ଧାରିତ ସମୟର କିଛି ଠିକଣା ରହୁନାହିଁ। କୌଣସି କାରଣରୁ ଟ୍ରେନ୍‌ ଯାତ୍ରା ରେଳବାଇ ପକ୍ଷରୁ ବାତିଲ କରାଗଲେ ଯାତ୍ରୀଙ୍କୁ ଟିକେଟ ଅର୍ଥ ଫେରସ୍ତର ବ୍ୟବସ୍ଥା ରହିଛି।

କିନ୍ତୁ ଘଣ୍ଟା ଘଣ୍ଟା ଧରି ଟ୍ରେନ୍‌ ବିଳମ୍ବ ହେଲେ ଟ୍ରେନ୍‌ ଭିତରେ ଥାଇ ଯାତ୍ରା କରୁଥିବା ଯାତ୍ରୀ ବା ଷ୍ଟେସନ୍‌ରେ ଟ୍ରେନ୍‌ରେ ଚଢ଼ିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାକୁ ନେଇ ଦିନକୁ ଦିନ ତେଜୁଛି ଯାତ୍ରୀ ଅସନ୍ତୋଷ। ଏ ନେଇ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଆଖିଦୃଶିଆ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!