୧୧ ବର୍ଷ ପରେ ପୁଣି ଥରେ ମନ୍ତ୍ରୀ ହେଲେ ସାରଦା : ଗୋଟିଏ ଗୁଳିରେ ୩ ଶିକାର କଲେ ମୁଖ୍ୟମନ୍ତ୍ରୀ

1 min read
Spread the love

୨୦୧୪ ମସିହା ପରେ ସୁନ୍ଦରଗଡ଼ ଜିଲ୍ଲାକୁ ମିଳିଛି ମନ୍ତ୍ରୀପଦ। ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ସୋମବାର ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଛନ୍ତି। ସୂଚନା ମୁତାବକ ତାଙ୍କୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ପଦ ଭାବେ ଦାୟିତ୍ୱ ମିଳିଛି। କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେଇଥିବା ସାରଦା ନାୟକ ଖୁବ୍‌ ଶୀଘ୍ର ଶ୍ରମ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି। କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିଥିବାରୁ ବିଧାୟକ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଚିରଋଣୀ ବୋଲି ଧନ୍ୟବାଦ ଦେଇ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ କର୍ମୀଙ୍କୁ ପରିଚୟ ଦେଇଛନ୍ତି ଓ ମୋ’ ଉପରେ ବିଶ୍ବାସ ରଖିଛନ୍ତି। ଏହା ବହୁତ ବଡ଼କଥା। ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସକୁ ମୁଁ ସୁଦୃଢ଼ କରିବି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁନ୍ଦରଗଡ଼ର ବିକାଶର ସାରଥୀ। ଜୀବନ ଶେଷ ନିଶ୍ବାସ ପର୍ଯ୍ୟନ୍ତ ବିଜେଡିରେ ରହି ଲୋକଙ୍କ ସେବା କରିବି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେବଳ ସୁନ୍ଦରଗଡ ନୁହେଁ, ରାଜ୍ୟର ବିକାଶର ଧାରାକୁ ଆଗେଇ ନେବାରେ ଶତପ୍ରତିଶତ ଚେଷ୍ଟା କରିବି ବୋଲି କହିଛନ୍ତି ସାରଦା ନାୟକ। ବିଧାୟକ ସାରଦା ପ୍ରସାଦ ନାୟକ ଚଳିତ ଥର ବିଧାୟକ ସହିତ ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ରେ ରାଉରକେଲା ବିଧାୟକ ଥିଲେ। ୨୦୦୯ରେ ତାଙ୍କୁ ରାଜ୍ୟ ଯ‌ୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀପଦ ମିଳିଥିଲା। ୨୦୧୨ରେ ସେ ରାଜ୍ୟ ଅବକାରୀ ଓ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ। ୨୦୧୨ ମସିହାରେ ମିଡ୍‌ନାଇଟ ଅପରେସନ ଘଟଣା ପରେ ତାଙ୍କ ମନ୍ତ୍ରୀ ପଦ ଚାଲିଯାଇଥିଲା। ପରେ ସେହିବର୍ଷ ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରଥମ ଥର ଭାବେ ବିଧାୟକ ହୋଇଥିବା ସୁବ୍ରତ ତରାଇଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ସେ ୨୦୧୪ ମସିହା ନିର୍ବାଚନ ପର୍ଯ୍ୟନ୍ତ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ। ଏହାପରେ ଅଦ୍ୟାବଧି ସୁନ୍ଦରଗଡ଼ ଜିଲ୍ଲାର କାହାକୁ ମନ୍ତ୍ରୀ ପଦ ମିଳି ନଥିଲା।

ଅନ୍ୟପକ୍ଷରେ ସାଧାରଣ ନିର୍ନାଚନକୁ ଆଉ ମାତ୍ର କିଛିମାସ ବାକି ଥିଲାବେଳେ ସାରଦାଙ୍କୁ ମନ୍ତ୍ରୀ ପଦ ତାହା ପୁଣି ଶ୍ରମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଳିରେ ତିନି ଶିକାର କରିଥିବା କୁହାଯାଉଛି। କାରଣ ବେଶ୍‌ କିଛିବର୍ଷ ଧରି ଆୟତନ ଅନୁସାରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜିଲ୍ଲା ସୁନ୍ଦରଗଡ଼କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳି ନଥିଲା। ତେଣୁ ଏହା ମାଧ୍ୟମରେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ମନ୍ତ୍ରୀ ପଦ ପାଇଲା। ସେହିଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲା ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଶିଳ୍ପାଞ୍ଚଳ ଶ୍ରମିକମାନଙ୍କ ସଂଖ୍ୟା ଓ ଅଣସଙ୍ଗଠିତ କ୍ଷେତ୍ରରେ ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ସାରଦାଙ୍କୁ ଶ୍ରମ ବିଭାଗର ମନ୍ତ୍ରୀ କରି ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କୁ ବିଜୁ ଜନତା ଦଳ ଆଡ଼କୁ ଅଧିକରୁ ଅଧିକ ଆକର୍ଷିତ କରିବାକୁ ଉଦ୍ୟମ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା ବଣାଇ ନିର୍ବାଚନ ମଣ୍ଡଳୀ ବେଶ୍‌ କିଛିବର୍ଷ ହେଲା ବିଜୁ ଜନତା ଦଳ ଅଧୀନରେ ନାହିଁ। ତେଣୁ ସାରଦାଙ୍କ ମାଧ୍ୟମରେ ବଣାଇ ନିର୍ବାଚନ ମଣ୍ଡଳୀର ଶ୍ରମିକମାନେ ବିଜେଡି ଆଡ଼କୁ ଢଳିବେ ବୋଲି ଆଶା କରାଯଏ। ସେହିଭଳି ରାଜ୍ୟର ପୂରାତନ ତଥା ବୃହତ ରାଷ୍ଟ୍ରାୟତ ଉଦ୍ୟୋଗ-ରାଉରକେଲା ଇସ୍ପାତ କାରଖାନା ଓ କାରଖାନାର ଶ୍ରମିକ ରାଜନୀତିରେ ବିଜେଡି ସଫଳ ହୋଇ ପାରିନାହିଁ। ତେଣୁ ସାରଦାଙ୍କ ମାଧ୍ୟମରେ ଶ୍ରମିକ ରାଜନୀତିକୁ ବିଜେଡି ନିଜ ସପକ୍ଷରେ ଆଣିବାର ଉଦ୍ୟମ କରିବା ସହଜ ହେବ। କାରଣ ଗତ କିଛି  ବର୍ଷ ଧରି କାରଖାନା କର୍ତ୍ତୃପକ୍ଷଙ୍କ ଜଣେ ବଡ଼ ସମାଲୋଚକଭାବେ ସାରଦା ନାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି। ଏହା ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଥିବା କଳକାରଖାନା ଓ ଅସଙ୍ଗଠିତ ଶ୍ରମିକ ରାଜନୀତିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ମାଧ୍ୟମରେ ସାରଦାଙ୍କ ନେତୃତ୍ୱରେ ଦଳ ଶ୍ରମିକମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବିଜେଡି ଆଡ଼କୁ ଆଣିବାରେ ଉଦ୍ୟମ ଜାରି ରହିବ ବୋଲି ଆଲୋଚନା ହେଉଛି। ସେହିଭଳି ଯଦି ଆକଳନ ଓ ଚର୍ଚ୍ଚା ଅନୁସାରେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ହୁଏ, ସେହି ସମୟରେ ଧୂରୀଣ ତଥା ଅନୁଭବି ସାରଦାଙ୍କ ମାଧ୍ୟମରେ ଦଳ ଏହି ଜିଲ୍ଲାର ରାଜନୀତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!