ରାଉରକେଲାର ଆରକ୍ଷୀ ଅଧୀକ୍ଷକଭାବେ ଦାୟିତ୍ୱ ନେଲେ ମିତ୍ରଭାନୁ ମହାପାତ୍ର

1 min read
Spread the love

ରାଉରକେଲାର ଆରକ୍ଷୀ ଅଧୀକ୍ଷକଭାବେ ଦାୟିତ୍ୱ ନେଲେ ମିତ୍ରଭାନୁ ମହାପାତ୍ର

ପୂର୍ବ ସୂଚନା ଓ ସରକାରୀ ଘୋଷଣା ମୁତାବକ ରାଉରକେଲାର ଆରକ୍ଷୀ ଅଧିକ୍ଷକଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଧିକାରୀ ମିତ୍ରଭାନୁ ମହାପାତ୍ର। ସୋମବାର ପୂର୍ବାହ୍ନରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶ୍ରୀ ମହାପାତ୍ର ପୂର୍ବର ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୋ ଙ୍କଠାରୁ ଦାୟିତ୍ୱ ନେଇଥିଲେ। ୨୦୨୦ ମସିହା ଡିସେମ୍ବର ଶେଷ ଆଡ଼କୁ ରାଉରକେଲାର ଆରକ୍ଷୀ ଅଧୀକ୍ଷକଭାବେ ଯୋଗଦେଇଥିବା ଶ୍ରୀ ଭାମୋଙ୍କର ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଭାବେ ବଦଳି ହୋଇଛି। ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କଲାପରେ ରାଉରକେଲା ତାଙ୍କ ପାଇଁ ନୂଆ ନୁହେଁ ବୋଲି କହିବା ସହ ରାଉରକେଲା ପୋଲିସ ଜିଲ୍ଲାରେ ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି। ଏହା ସହିତ ରାଉରକେଲା ପୋଲିସ ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ଏହା ସହିତ ରାଉରକେଲା ପୋଲିସ ଜିଲ୍ଲାକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମା ଲାଗିଥିବାରୁ ସୀମାପାର ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ମଧ୍ୟ ତାଙ୍କର ଅନ୍ୟତମ ପ୍ରାଥମିକତା ହେବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହା ସହିତ ସେ ଅଧିକାରୀମାନଙ୍କ ସହିତ ପ୍ରାଥମିକ ଆଲୋଚନା କରି ଆସନ୍ତା ଦିନରେ କରିବାକୁ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି।

 ଏଠାରେ ଯୋଗଦେବା ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଭାବେ କାର୍ଯ୍ୟ କରୁଥିଲେ। ସୂଚନା ମୁତାବକ ୨୦୦୩ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ମେକାନିକାଲ ବିଭାଗରେ ଶ୍ରୀ ମହାପାତ୍ର ବି. ଟେକ୍‌ ପାଠ ପଢ଼ିଥିଲେ। ଏହାପରେ କିଛିବର୍ଷ ଆଇବିଏମ୍‌ ଭଳି ଅନ୍ତରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବା ପରେ ଆଇପିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଶ୍ରୀ ମହାପାତ୍ର । ୨୦୧୦ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀ କୋରାପୁଟ ଅତିରିକ୍ତ ଏସ୍‌ପି ସହିତ ମାଲକାନଗିରି, କନ୍ଧମାଳ ଓ ଅନୁଗୁଳରେ ଏସପିଭାବେ କାର୍ଯ୍ୟ କରିଛନ୍ତି। ଆଇପିଏସ୍‌ ଅଧିକାରୀଭାବେ ଗତ ୧୧ ବର୍ଷ ମଧ୍ୟରେ ଶ୍ରୀ ମହାପାତ୍ର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୩ଟି ପୁରସ୍କାର ପାଇଛନ୍ତି। ଏହା ମଧ୍ୟରେ ମାଲକାନାଗିରି ଭଳି ବଣପାହାଡ଼ ଘେରା ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସଫଳତାର ସହିତ ଅଭିଯାନ ଅନ୍ୟତମ। ଶ୍ରୀ ମହାପାତ୍ରଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାରେ ହୋଇଥିଲା। ଏହା ସହିତ ବେଶ୍‌ କିଛିବର୍ଷର ବ୍ୟବଧାନ ପରେ ରାଉରକେଲା ପୋଲିସ ଜିଲ୍ଲାରେ ଶ୍ରୀ ମହାପାତ୍ର ଜଣେ ଓଡ଼ିଆ ଅଧିକାରୀ ଆରକ୍ଷୀ ଅଧୀକ୍ଷକଭାବେ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!