ମନ୍ତ୍ରୀ ହେବେ ସାରଦା ପ୍ରସାଦ ନାୟକ
1 min read
ରାଉରକେଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସୋମବାର ଓଡ଼ିଶା କ୍ୟାବିନେଟ୍ରେ ମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଶେଷ ସୂଚନା ମୁତାବକ ରାଜ୍ୟ ସଚିବାଳୟରୁ ତାଙ୍କ ନିକଟକୁ ଫୋନ୍ କଲ୍ ଯିବା ପରେ ସେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ସୂଚନା ମୁତାବକ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ପ୍ରାୟ ୧୦ଟା ସମୟରେ କିଛି ନୂତନ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୧୨ ମସିହାରେ ସେତେବେଳର ମିଡ୍ ନାଇଟ ଅପରେସନ ପରେ ସାରଦାଙ୍କ ମନ୍ତ୍ରୀ ପଦ ଚାଳିଯାଇଥିଲା। ଏହାପରେ ୨୦୧୪ ନିର୍ବାଚନରେ ସେ ହାରିଯାଇଥିଲେ। ଏହା ସତ୍ତ୍ବେ ସୁଦ୍ଧା ସାରଦା ଦଳ ଓ ଦଳର ସଙ୍ଗଠନ ପାଇଁ କାର୍ଯ୍ୟ କରି ଚାଲିଥିଲେ। ଏହାର ଫଳସ୍ବରୂପ ୨୦୧୯ ମସିହାରେ ପୁଣି ଥରେ ରାଉରକେଲାର ବିଧାୟକଭାବେ ନିର୍ବାଚିତ ହୋଇ ଦଳ ପାଇଁ କାର୍ଯ୍ୟକରି ଚର୍ଚ୍ଚାରେ ରହିଆସିଛନ୍ତି। ବିଶେଷ କରି ନିକଟରେ ଶେଷ ହୋଇଥିବା ଝାରସୁଗୁଡ଼ା ଉପନିର୍ବାଚନରେ ସାରଦା ପର୍ଯ୍ୟବେକ୍ଷକଭାବେ ରହି ଦଳୀୟ ପ୍ରାର୍ଥୀ ଦୀପାଳି ଦାଶଙ୍କୁ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏହାପରେ ମନ୍ତ୍ରୀ ମଣ୍ଡଳରେ ଯୋଗଦେବା ନେଇ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ସମ୍ପ୍ରତି ୨୦୨୪ ନିର୍ବାଚନକୁ ଆଉ ମାତ୍ର ଏକବର୍ଷ ବାକି ଥିଲାବେଳେ ନୂତନ ମନ୍ତ୍ରୀଭାବେ ସାରଦାଙ୍କ ନିଯୁକ୍ତି ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳ ପାଇଁ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି। ସାରଦାଙ୍କ ନାମ ମନ୍ତ୍ରୀ ପଦ ମିଳିବା ସୂଚନା ମିଳିବା ପରେ ତାଙ୍କ ସମର୍ଥକମାନେ ଆନନ୍ଦିତ ହୋଇଥିବା ସୂଚନା ମିଳିଛି। ପ୍ରମୁଖ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ମୁତାବକ ସାରଦାଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିପାରେ।