ରାସ୍ତା ଉପରେ ଜଳିଗଲା ମୋ-ବସ୍‌ : ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

1 min read
Spread the love

ରାଉରକେଲା ସହରରେ ଗତ ଜାନୁଆରୀ ମାସୁରୁ ଗଡ଼ୁଥିବା ମୋ-ବସ୍‌ ଅନ୍ତର୍ଗତ ଗୋଟିଏ ବସ୍‌ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ ଟିସିଆଇ ଛକ ନିକଟରେ ହୁତ୍‌ ହୁତ୍‌ ହୋଇ ଜଳିଯାଇଛି। ଏହାକୁ ନେଇ ସେହି ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା। ସୌଭାଗ୍ୟକୁ ବସ୍‌ରେ କେହି ଯାତ୍ରୀ ନଥିଲେ ଏବଂ ବସ୍‌ର ଚାଳକ ଓ ସହାୟକ ମଧ୍ୟ ସତର୍କ ଥିବାରୁ ଏହି ଘଟଣାରେ କୌଣସି ବ୍ୟକ୍ତିର କିଛି କ୍ଷତି ହୋଇନାହିଁ। ଘଟଣା ସମ୍ପର୍କରେ ମଧ୍ୟାହ୍ନ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମ୍‌ସି କମିଶନର ଡା ଶୁଭଙ୍କର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ତାଙ୍କ ସୂଚନା ମୁତାବକ ଜଳି ଯାଇଥିବା ବସ୍‌ଟି ରାଉରକେଲା ସହରର ସ୍ପେସ୍‌ ଛକ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏହାପରେ ବସ୍‌ର ଚାଲକ ବସ୍‌କୁ ନେଇ ବେଲ୍‌ଡିହି ସ୍ଥିତ ବସ୍‌ ଡିପୋକୁ ମରାମତି ନେଉଥିଲେ। ଏହି ସମୟରେ ଟିସିଆଇ ଛକ ନିକଟରେ ବସ୍‌ଟି ହଠାତ୍‌ ଜଳିବା ଆରମ୍ଭ କରିଥିଲା। ଏହାପରେ ଯଥାଶୀଘ୍ର ଅଗ୍ନିସମ ବାହିନୀକୁ ସୂଚନା ଦିଆଯାଇଥିଲା। ସୂଚନା ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତାଙ୍କ ସୂଚନା ମୁତାବକ ମୋ-ବସ୍‌ ଚାଳନାକୁ ନେଇ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ତେଣୁ ବସ୍‌ ଯାତ୍ରୀମାନେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତିତ ହେବାର ଆବଶ୍ୟକ ନାହିଁ।  

ବସ୍‌ ଜଳିବାକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠାରୁ ବଡ଼କଥା ହେଉଛି ରାଉରକେଲାରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଦୈନିକ ପ୍ରାୟ ୮୦ଟି ବସ୍‌ ଚଳାଚଳ କରୁଛି। ଏଭଳି ସ୍ଥିତିରେ ଗୋଟିଏ ଗାଡ଼ି ଦିନ ସାଢ଼େ ୯ଟାରେ ଜଳିବା ଓ ଘଟଣାର ପ୍ରାୟ ଅଢେଇ ଘଣ୍ଟା ପରେ ଅତିରିକ୍ତ ଜିଲ୍ଲାପାଳ ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ମୋ-ବସ୍‌ ଚଳାଚଳ ଭାର କ୍ରୁଟ(Capital Region Urban Transport Trust) ନାମକ ସଂସ୍ଥା ପକ୍ଷରୁ କରାଯାଉଛି।

ଏହି ସଂସ୍ଥା ପକ୍ଷରୁ ବସ୍‌ ଜଳିବା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ। ଏହା ବ୍ୟତୀତ ମୋ-ବସ୍‌ ଚଳାଚଳ କରିବା ଇତିମଧ୍ୟରେ ୫ମାସରେ ପହଞ୍ଚିଥିଲେ ସୁଦ୍ଧା ରାଉରକେଲା ସହରରେ ଏହୋ ବସ୍‌ ଚଳାଚଳ ଦାୟିତ୍ୱ ନେଇଥିବା ସଂସ୍ଥାର କୌଣସି ବିଧିବଦ୍ଧ କାର୍ଯ୍ୟାଳୟ ନାହିଁ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ରୁଟ୍‌ ସଂସ୍ଥାର ପୋର୍ଟାଲ୍‌ରେ ଏହି ସଂସ୍ଥା ପକ୍ଷରୁ ରାଉରକେଲାରେ ବସ୍‌ ଚଳାଚଳ ସମ୍ପର୍କରେ କୌଣସି ତଥ୍ୟ ବା ସୂଚନା ନାହିଁ। ଏଭଳି ସ୍ଥିତିରେ ଭବିଷ୍ୟତରେ ମୋ-ବସ୍‌ ଚଳାଚଳ ସମ୍ପର୍କୀତ କୌଣସି ଅଭିଯୋଗ ବା ସମସ୍ୟା ସମ୍ପର୍କରେ କାହାକୁ ଯୋଗାଯୋଗ କରାଯିବ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଶେଷ ସୂଚନା ମୁତାବକ ବସ୍‌ ଜଳିବାର କାରଣ ସର୍ତ ସର୍କିଟ ବୋଲି ଅନୁମାନ କରାଯାଉଛି। ଏ ନେଇ ଅଧିକ ତଦନ୍ତ ଚାଲିଛି।  

Leave a Reply

Your email address will not be published. Required fields are marked *

error: Content is protected !!