ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳିତ
1 min read
ସଧବା ହିନ୍ଦୁ ନାରୀଙ୍କ ପାଇଁ ସବୁଠାରୁ ବଡ଼ ପର୍ବ ହେଉଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳିଛନ୍ତି ହିନ୍ଦୁ ସଧବା ମହିଳା। ଏହି ଅବସରରେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ସ୍ମରଣ କରି ପୂଜାର୍ଚ୍ଚନା କରିଛନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲାବେଳେ କିଛି ଘରକୁ ପୂଜକଙ୍କୁ ଡକାଇ ପୂଜା କରିଛନ୍ତି। ଶୁକ୍ରବାର ସକାଳୁ ସକାଳୁ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ ସଧବା ମହିଳାମାନେ ସାବିତ୍ରୀ ବ୍ରତ ପାଳନ ଉପଲକ୍ଷେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।

ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ମହାସତୀ ସାବିତ୍ରୀ ପତି ସତ୍ୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଏ ବ୍ରତକଥାର ବାର୍ତ୍ତା ହେଉଛି- ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ। ଇସ୍ପାତ ସହର ର ସ୍ମାର୍ଟ ଲେଡିଜ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ସାବିତ୍ରୀ ବ୍ରତ କ୍ଲବ୍ ର ସଦସ୍ୟ ମାନେ ଏକତ୍ରିତ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ସେକ୍ଟର-4 କମ୍ୟୁନିଟି ସେଣ୍ଟର ଠାରେ ପାଳନ କରିଥିଲେ। ନିଜ ନିଜ ସିନ୍ଦୂର ର ସୁରକ୍ଷା ପାଇଁ ସଦସ୍ୟମାନେ ନିଷ୍ଠା ର ସହ ଉପବାସ କରି ଉତ୍ସାହର ସହ ଏହି ବ୍ରତ ପାଳନ କରିବା ପରିଲକ୍ଷିତ ହୋଇଥିଲା। ପୂଜା ସମାପନ ପରେ ନିଜ ସ୍ବାମୀଙ୍କୁ ପୂଜା କରି ପଣା ସରବତ ଆଦି ଗ୍ରହଣ କରି ବ୍ରତ ସମାପନ କରିଥିଲେ। ଏହି ଅବସରରେ ସଧବା ମହିଳାମାନେ ବିଭିନ୍ନ ପ୍ରକାରର ଫଳ ଓ ଅନ୍ୟାନ୍ୟ ଭୋଗ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହା ସହିତ ମହିଳାମାନେ ଏକତ୍ରିତ ହୋଇ ସ୍ୱାମୀମାନଙ୍କର ଶୁଭକାମନା କରିଥିଲେ।