ରାଉରକେଲାର ଏସ୍ପି ହେଲେ ମିତ୍ରଭାନୁ ମହାପାତ୍ର
1 min read
ଗୁରୁବାର ଓଡ଼ିଶା ପୋଲିସ ପକ୍ଷରୁ ବରିଷ୍ଠ ଓ ମଧ୍ୟମ ବର୍ଗର କିଛି ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ବଦଳୀ କରିଛନ୍ତି। ଏହା ମଧ୍ୟରେ ରହିଛି ରାଉରକେଲାରେ କାର୍ଯ୍ୟରତ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୋଙ୍କ ବଦଳୀ ହୋଇଛି। ଶ୍ରୀ ଭାମୋଙ୍କର ସମ୍ବଲପୁର ଏସ୍ପିଭାବେ ବଦଳି ହୋଇଥିଲାବେଳେ ତାଙ୍କ ସ୍ଥାନରେ କେଉଁଝର ଏସ୍ପି ଥିବା ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସ୍ପି ଭାବେ ବଦଳି କରାଯାଇଛି। ସୂଚନା ମୁତାବକ ୨୦୦୩ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ମେକାନିକାଲ ବିଭାଗରେ ଶ୍ରୀ ମହାପାତ୍ର ବି. ଟେକ୍ ପାଠ ପଢ଼ିଥିଲେ। ଏହାପରେ କିଛିବର୍ଷ ଆଇବିଏମ୍ ଭଳି ଅନ୍ତରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବା ପରେ ଆଇପିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଶ୍ରୀ ମହାପାତ୍ର । ୨୦୧୦ ବ୍ୟାଚ୍ର ଏହି ଆଇପିଏସ୍ ଅଧିକାରୀ କୋରାପୁଟ ଅତିରିକ୍ତ ଏସ୍ପି ସହିତ ମାଲକାନଗିରି, କନ୍ଧମାଳ ଓ ଅନୁଗୁଳରେ ଏସପିଭାବେ କାର୍ଯ୍ୟ କରିଛନ୍ତି। ଆଇପିଏସ୍ ଅଧିକାରୀଭାବେ ଗତ ୧୧ ବର୍ଷ ମଧ୍ୟରେ ଶ୍ରୀ ମହାପାତ୍ର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୩ଟି ମେଡାଲ ରାଷ୍ଟ୍ରପତିଙ୍କ ଠାରୁ ପାଇଛନ୍ତି। ଶ୍ରୀ ମହାପାତ୍ର ରାଉରକେଲାରେ ପାଠ ପଢ଼ିଥିବାରୁ ସେ ରାଉରକେଲା ଆରକ୍ଷୀ ଅଧୀକ୍ଷକଭାବେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।