ରାଉରକେଲା ସ୍ମାର୍ଟ ସିଟି : ଏଟିଏମ୍ ରୁ ଟଙ୍କା ଉଠାଉଛି ବୁଲା ଷଣ୍ଢ
1 min read
୨୦୧୬ ମସିହାରୁ ଇସ୍ପାତ ସହର ରାଉରକେଲାକୁ ସ୍ମାର୍ଟ ସିଟିଭାବେ ଘୋଷଣା କରାଯାଇଛି। ଏହାପରେ ରାଉରକେଲା ସ୍ମାର୍ଟ ସିଟି ପରିଚାଳନା ବୋର୍ଡ ଗଠନ ସହିତ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୭ବର୍ଷ ବିତିଯାଇଛି। ଏହି ସାତ ବର୍ଷ ମଧ୍ୟରେ ସହର କେତେ ସ୍ମାର୍ଟ ହୋଇଛି ଓ ସହରବାସୀ କେତେ ସ୍ମାର୍ଟ ହୋଇଛନ୍ତି ତାହା ଭିନ୍ନ କଥା। କିନ୍ତୁ ସହରର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଟ୍ରାଫିକ ଛକ ନିକଟରେ ଗୁରୁବାର ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ରିଙ୍ଗ୍ ରୋଡ୍ର ଟ୍ରାଫିକ ଛକ ନିକଟରେ ରହିଛି ୟୁନିଅନ ବ୍ୟାଙ୍କ୍ ନାମକ ଏକ ଜାତୀୟ କରଣ ବ୍ୟାଙ୍କ୍ର ଏକ ଏଟିଏମ୍।

ଏହି ଏଟିଏମ୍ରୁ ଜଣେ ଗ୍ରାହକ ସହିତ ଗୋଟିଏ ବୁଲା ଷଣ୍ଢ ବାହାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆମେ ସମସ୍ତେ ଜାଣୁ ମଣିଷମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍ ଦ୍ୱାରା ସ୍ଥାପିତ ଏଟିଏମ୍ ଭିତରକୁ ଯାଇଥାନ୍ତି। କିନ୍ତୁ ଗୁରୁବାର ଏଟିଏମ୍ ଭିତରୁ ଏକ ଷଣ୍ଢ ବାହାରୁଥିବା ଦୃଶ୍ୟ ଦେଖିବା ପରେ ଲାଗୁଛି ବୋଧହୁଏ ବୁଲା ଷଣ୍ଢ ମଧ୍ୟ ଏଟିଏମ୍ରୁ ଟଙ୍କା ବାହା କରିବାକୁ ଯାଇଥିଲା। ଅନ୍ୟପକ୍ଷରେ ସହରରେ ପ୍ରବଳ ଗରମ ଓ ତାତିରୁ ମୁକ୍ତି ପାଇବା ପାଇଁ ବୋଧହୁଏ ଷଣ୍ଢଟି ଏଟିଏମ୍ ଭିତରକୁ ଯାଇଥିବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ସ୍ମାର୍ଟ ସିଟିର ଗାଇଗୋରୁମାନେ ମଧ୍ୟ ସ୍ମାର୍ଟ ହୋଇଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।