ରାଉରକେଲା ସ୍ମାର୍ଟ ସିଟିର ସେନ୍ସସୋରୀ ପାର୍କ : ସେନ୍ସ ଅଛି ସୋରି ନାହିଁ

1 min read
Spread the love

ରାଉରକେଲା ସହରରେ ବିଶ୍ବ କପ୍‌ ହକି ଆୟୋଜନ ପୂର୍ବରୁ ସହରକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା୤ ଏହା ମଧ୍ୟରେ ଅନ୍ୟତମ ଥିଲା ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ନିର୍ମାଣ ହୋଇଥିବା ସେନସୋରୀ ପାର୍କ। ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ପ୍ରବେଶ ପଥ ଓ ରିଙ୍ଗରୋଡ୍‌ର ଟ୍ରାଫିକ ଛକ ନିକଟରେ ନିର୍ମାଣ ହୋଇଥିଲା ସେନ୍‌ସିରୀ ପାର୍କ। ଏହି ପାର୍କରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ନିର୍ମାଣ ସହିତ କାନ୍ଥ ଚିତ୍ର ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷଣ କରୁଛି। ସବୁଠାରୁ ବଡ଼କଥା ହେଉଛି ଏହି ପାର୍କକୁ ପ୍ରବେଶ ନିମନ୍ତେ ଜଣ ପିଛା ୧୦ଟଙ୍କା ଲେଖା ପ୍ରବେଶ ଶୁକ୍ଳ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏ ନେଇ ପ୍ରବେଶ ପଥ ନିକଟରେ କୌଣସି ସୂଚନା ଫଳକ ନାହିଁ।

ଅନ୍ୟ ଏକ ଘଟଣା କ୍ରମରେ ପାର୍କ ମଧ୍ୟରେ ରହିଥିବା କିଛି ସ୍ଥାନରେ ରଙ୍ଗ ଉଡ଼ିବାରେ ଲାଗିଛି। ପାର୍କ ନିର୍ମାଣ ହେବାର ମାତ୍ର ୫ ମାସ ମଧ୍ୟରେ ଏହିଭଳି ସ୍ଥିତି ପାର୍କ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସେହିଭଳି ପାର୍କ ମଧ୍ୟକୁ ପ୍ରବେଶ ନିମନ୍ତେ ରିଙ୍ଗ ରୋଡ୍‌ ପାର୍ଶ୍ବରୁ ପାହାଚଟିଏ ମଧ୍ୟ ନାହିଁ। ଏଥିପାଇଁ ପାର୍କକୁ ଯିବା ପାଇଁ ଚାହୁଁଥିବା ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ପାର୍କକୁ ଯିବା ପାଇଁ ଆସୁଥିବା ସହରବାସୀଙ୍କ ଯାନବାହାନ ରଖିବାର କୌଣସି ବ୍ୟବସ୍ଥା ନାହିଁ। ଗୋଟିଏ ପଟେ ସହରରକୁ ସରସ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରି ଶ୍ରୀହୀନ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହିସବୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ନିମନ୍ତେ କର୍ତ୍ତୃପକ୍ଷଙ୍କ ନଜର ନାହିଁ। ଏଭଳି ସ୍ଥିତିରେ ପାର୍କ ହେଉ ବା ଅନ୍ୟ ନିର୍ମାଣ ର ସ୍ଥିତି ଆସନ୍ତା ଦିନରେ କ’ଣ ହେବା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!