ରାଷ୍ଟ୍ରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ସୁନ୍ଦରଗଡ଼ ଖେଳାଳିଙ୍କ ସଫଳତା
1 min read
ଭାରତୀୟ ଶକ୍ତି ଉତ୍ତୋଳନ ସଂଘ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା-୨୦୨୩ ତାମିଲନାଡ଼ୁର ତ୍ରିଚି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଚଳିତ ମେ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ଉଭୟ ପୁରୁଷ ଓ ମହିଳା ମୋଟ ୧୬୫୯ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ସୁନ୍ଦରଗଡ଼ରୁ ୭୬କିଗ୍ରା ମହିଳା ସବ୍ଜୁନିୟର ବିଭାଗରେ ସୁଶ୍ରୀ ସିମରନ୍ କୁଜୁର ରୌପ୍ୟ ପଦକ ହାସଲ କରିଛନ୍ତି। ୮୪ କିଗ୍ରା ମହିଳା ସବ୍ ଜୁନିୟର ବିଭାଗରେ ମୌସୁମୀ ଦାସ ସ୍ବର୍ଣ୍ଣ ପଦକ ଏବଂ ୮୪କିଗ୍ରାରୁ ଊର୍ଦ୍ଧ୍ବ ମହିଳା ସବ୍ଜୁନିୟର ବିଭାଗରେ ସୁଶ୍ରୀ ଆକାଂକ୍ଷା ପରିଡ଼ା ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ବିଭାଗରେ ୯୩ କିଗ୍ରା ଜୁନିୟର ବର୍ଗରେ ଶୁଭମ ସିଂହ ସ୍ବର୍ଣ୍ଣ ପଦକ ଓ ୯୩ କିଗ୍ରା ସବ୍ଜୁନିୟର ବିଭାଗରେ କାହ୍ନା ନାୟକ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସଂପାଦକ ପ୍ରଭାତ ଭୋଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଜିତ ମହନ୍ତ, ପ୍ରଶିକ୍ଷକ ବାସୁଦେବ ବାନାର୍ଜୀ, ବିକ୍ରମ ସ୍ବାଇଁଙ୍କ ସମେତ ଦୁର୍ଗାଚରଣ ନାୟକ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଅଜୟ ବହିଦାର, ରାଜେନ୍ଦ୍ର ପାଣ୍ଡେ, ଅନୀଲ ବହିଦାର ତଥା ରାଇମା କ୍ଲବ୍ର ସଭାପତି ବିଷ୍ଣୁ ମହାନ୍ତି, ସନ୍ତୋଷ ଭୂୟାଁ, ସାହବାଜ ଖାନ, ବାବୁ ଭୂତିଆ, ମନଜିତ କଂସାରୀ, ସମିତା ବାରିକ, କମଲ ନାଗ ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।