ରାଉରକେଲାରେ ଲୋକ ଅଦାଲତ : ୨୫୯ ମାମଲାର ଫଇସଲା , ୧୭.୫୮ କୋଟି କ୍ଷତିପୂରଣ ପାଇଁ ନିର୍ଦ୍ଦେଶ

1 min read
Spread the love

ରାଉରକେଲା :ସମଗ୍ର ଦେଶରେ ମଇ ମାସର ଦ୍ବିତୀୟ ଶନିବାର ଆୟୋଜିତ ହୋଇଯାଇଛି ଜାତିୟ ଲୋକ ଅଦାଲତ। ଏହି କ୍ରମରେ ରାଉରକେଲାରେ ଥିବା ଅଦାଲତ ସମୂହରେ ମଧ୍ୟ ହୋଇଥିଲା ଲୋକ ଅଦାଲତ୤ ପାନପୋଷ ତାଲୁକ୍ ଲିଗାଲ୍‌ ସର୍ଭିସେସ୍ କମିଟି ପକ୍ଷରୁ ବିରଜାପାଲ୍ଲୀ ସିଭିଲ୍ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଡକ୍ଟର ଭି. ସୁଜାତା ଅଧ୍ୟକ୍ଷତା କରିଥିଲେ। ପରିବାର ଅଦାଲତ ବିଚାରପତି ବିଦ୍ୟୁତ ମିଶ୍ର, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଜଜ୍‌ ମନୋଜ କୁମାର, ବରିଷ୍ଠ ସିଭିଲ୍‌ଜଜ୍‌ ଚିତ୍ତରଂଜନ ମିଶ୍ର, ଏସ୍‌ଡିଜେଏମ୍‌ ଅରୂଲିପା ପରିଜା, ସିଭିଲ ଜଜ୍‌ ଶରଣ କୁମାର ଜେନା, ଗ୍ରାମାଞ୍ଚଳ ମାଜିଷ୍ଟ୍ରେଟ୍‌ ସୌରଭ ଶର୍ମା, ମାଜିଷ୍ଟ୍ରେଟ୍‌ ଇଶ୍ରୀତା କେଶରୱାନୀ ପ୍ରମୁଖ ବିଭିନ୍ନ ମାମଲା ପରିଚାଳନା କରିଥିଲେ। ଲୋକ ଅଦାଲତରେ ୨୫୯ ମାମଲାର ବିଚାର କରି ୧୭ କୋଟି ୫୮ ଲକ୍ଷ ୯୬ ହଜାର ୪୦ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି।

ଲୋକ ଅଦାଲତରେ ମୋଟ୍‌ ୬୮ ମୋଟର ଦୁର୍ଘଟଣା ଜନିତ ମାମଲାର ବିଚାର କରାଯାଇଥିଲା। ଏ ବାବଦକୁ ବିଭିନ୍ନ ବୀମା କମ୍ପାନିକୁ ୪ କୋଟି ୩୭ ଲକ୍ଷ ୫୬ ହଜାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୧୪୦ଟି ବ୍ୟାଙ୍କ ଋଣ ରିକଭରି ମାମଲାରେ ୯୧ ଲକ୍ଷ ୬ ହଜାର ୮୮୪ ରିକଭରି ନିର୍ଦ୍ଦେଶ ଦିଆଯାଇଥିବାବେଳେ ୩୯ଟି ଚେକ୍‌ ବାଉନ୍ସ ମାମଲାରେ ୪ କୋଟି ୯୯ ଲକ୍ଷ ୨ ହଜାର ୯୬୮ ଟଙ୍କା, ୮ଟି ମନି ରିକଭରି ମାମଲାରେ ୫ କୋଟି ୪୬ ଲକ୍ଷ ୯ ହଜାର ୪୪୯ ଟଙ୍କା ଓ ୪ଟି ଅନ୍ୟ ସିଭିଲ ମାମଲାରେ ୧ କୋଟି ୨୧ ଲକ୍ଷ ୬ ହଜାର ୭୭୫ ଟଙ୍କା ଆଦାୟ ଆଦେଶ ଦିଆଯାଇଛି। ଲୋକ ଅଦାଲତ ପରିଚାଳନାରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ଡି. ଚୌଧୁରୀ, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ଅନୀଲ ଷଡ଼ଙ୍ଗୀ, ମନୋଜ ପଟ୍ଟନାୟକ, ପାଣ୍ଡବ ପାତ୍ର, ସୁଶାନ୍ତ ବାରିକ, ସୁରଶ ଦାଶ, କେ. ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!